ନୂଆଦିଲ୍ଲୀ:ଏକତରଫା ପ୍ରେମରୁ ଯୁବତୀଙ୍କୁ ଦୀର୍ଘ ଦୁଇ ବର୍ଷ ତଳେ ହତ୍ୟା କରିଥିଲା ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ । ହେଲେ ଗତ ଦୁଇ ବର୍ଷରେ ଯୁବତୀ ଜଣକ ଜୀବିତ ଥିବା ଓ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିବା ଦର୍ଶାଇବା ପାଇଁ ଏକାଧିକ ପନ୍ଥା ଆପଣାଇଥିଲା ଏହି ଅଭିଯୁକ୍ତ । ମିଛ ଫୋନ କଲ, କୋଭିଡ ଟିକା ସାର୍ଟିଫିକେଟ, ସିମ୍ ଓ ମୋବାଇଲ ସମେତ ମୃତ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଚାଲୁ ରଖିଥିଲା ଏହି ଅଭିଯୁକ୍ତ । ହେଲେ 2 ବର୍ଷର ଏପରି ସାଙ୍ଘାତିକ ଖେଳ ପରେ ପୋଲିସ ଏବେ ମୁଖ୍ୟ ଅଭିଯୁକ୍ତ କନେଷ୍ଟବଳ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ଅନୁସାରେ, ଏହି ଅଭିଯୁକ୍ତ ହେଉଛି ଦିଲ୍ଲୀ ପୋଲିସରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା 42 ବର୍ଷୀୟ ସୁରେନ୍ଦ୍ର ରାଣା । ପୂର୍ବରୁ ବିବାହିତ ସୁରେନ୍ଦ୍ର ଦିଲ୍ଲୀ ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ମୋନା ନାମ୍ନୀ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ଉଭୟ ଦିଲ୍ଲୀ ପୋଲିସର କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଥିଲେ । ହେଲେ ପରବର୍ତ୍ତୀ ସମୟରେ ମୋନା ଉତ୍ତର ପ୍ରଦେଶ ପୋଲିସ ବିଭାଗରେ ଜଣେ ସବ-ଇନସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ଚାକିରି ଛାଡି ସିଭିଲ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ମୋନା ଚାକିରି ଛାଡିବା ପରେ ଉତକ୍ଷିପ୍ତ ହୋଇଉଠିଥିଲା ସୁରେନ୍ଦ୍ର । 2021ରେ କିଛି ବାହାନାରେ ମୋନାକୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ଡାକି ହତ୍ୟା କରିବା ପରେ ମୃତଦେହରେ ପଥର ବାନ୍ଧି ଏକ ନାଳରେ ଫିଙ୍ଗି ଦେଇଥିଲା । ଏହା ପରେ ମୋନାଙ୍କ ପରିବାରକୁ ସେ ଜୀବିତ ଥିବା ଓ ଜଣେ ଯୁବକଙ୍କ ସହ ଫେରାର ହୋଇଥିବା ନେଇ ସୂଚନା ଦେଇଥିଲା ନିଜେ ସୁରେନ୍ଦ୍ର । ଏପରିକି ପରିବାର ସଦସ୍ୟଙ୍କ ସହ ମିଶି ସେ ମୋନାଙ୍କୁ ଖୋଜିବାର ଛଳନା ମଧ୍ୟ କରିଥିଲା । ଏକାଧିକ ଥର ମୋନାଙ୍କ ପରିବାର ସଦସ୍ୟଙ୍କ ସହ ଥାନାକୁ ମଧ୍ୟ ଯାଇଥିଲା । ଅଭିଯୁକ୍ତ ସୁରେନ୍ଦ୍ର ମୋନାର ସିମକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଚାଲୁ ରଖିଥିଲା । ଏପରିକି ସେଥିରେ ଟ୍ରାନଜାକ୍ସନ ମଧ୍ୟ କରିଥିଲା । ଅନ୍ୟ ଜଣେ ଯୁବତୀଙ୍କୁ ବ୍ୟବହାର କରି ମୋନାଙ୍କ ନାମରେ କୋଭିଡ ଟିକା ସାର୍ଟିଫିକେଟ ମଧ୍ୟ ବାହାର କରିଥିଲା ।