ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: କବିତାଙ୍କୁ ପୁଣି ଡାକିଲା ଇଡି

ED summons K Kavitha in Delhi Excise policy case: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ତେଲେଙ୍ଗାନା ଏମଏଲସି କବିତାଙ୍କୁ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: କବିତାଙ୍କୁ ପୁଣି ଡାକିଲା ଇଡି
ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: କବିତାଙ୍କୁ ପୁଣି ଡାକିଲା ଇଡି

By ETV Bharat Odisha Team

Published : Jan 15, 2024, 9:23 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ତେଲେଙ୍ଗାନା ଏମଏଲସି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କୁ ପୁଣି ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆସନ୍ତାକାଲି (ମଙ୍ଗଳବାର) କବିତାଙ୍କୁ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସମନରେ କୁହାଯାଉଛି । ଗତବର୍ଷ ସେପ୍ଟେମ୍ବରରେ ତାଙ୍କୁ ଶେଷ ଥର ପାଇଁ ତଦନ୍ତକାରୀ ସଂସ୍ଥା ହାଜର ହେବାକୁ ନୋଟିସ ଜାରି କରିଥିଲା । ଏବେ ତେଲେଙ୍ଗାନା ବିଧାନ ପରିଷଦର ସଦସ୍ୟ ଥିବା କେ. କବିତା ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ଉଭୟ କେନ୍ଦ୍ରୀୟ ସଂସ୍ଥା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରୁଛନ୍ତି । ଏହା ପୂର୍ବରୁ 2022 ଡିସେମ୍ବରରେ କବିତାଙ୍କୁ ସମାନ ମାମଲାରେ ସିବିଆଇ ଜେରା ମଧ୍ୟ କରିସାରିଛି ।

ଏହି ବହୁଚର୍ଚ୍ଚିତ ମାମଲାରେ ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟିର ବହୁନେତା ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ନିଜେ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପରିସରରେ ରହିଛନ୍ତି । ଚଳିତ ମାସ 13 ତାରିଖରେ ତାଙ୍କୁ ହାଜର ହୋଇ ଜେରାର ସମ୍ମୁଖୀନ ହେବାକୁ ଇଡି ସମନ ଜାରି କରିଥିଲା । ହେଲେ ସେ କାର୍ଯ୍ୟବ୍ୟସ୍ତତା ଦର୍ଶାଇ ଜେରା ପାଇଁ ହାଜର ହୋଇନଥିଲେ । ତଦନ୍ତକାରୀ ସଂସ୍ଥା ଚାହିଁଲେ ସେ ଲିଖିତ ପ୍ରଶ୍ନର ଉତ୍ତର ଦେଇପାରିବେ ବୋଲି କେଜ୍ରିଓ୍ବାଲ କହିଥିଲେ । ପରେ ତାଙ୍କୁ 18 ତାରିଖରେ ହାଜର ହେବାକୁ ସାନି ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢନ୍ତୁ :- ଶିବସେନା ବିବାଦ: ବାଚସ୍ପତିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ଉଦ୍ଧବ ଗୋଷ୍ଠୀ

ଏହି ବହୁଚର୍ଚ୍ଚିତ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଅନ୍ୟତମ ଦଳୀୟ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଗିରଫ ହୋଇ ଜେଲରେ ଅଛନ୍ତି । ଏହି ମାମଲାରେ ଏବେ ପର୍ଯ୍ୟନ୍ତ ସିସୋଦିଆ ବେଲ ପାଇବାରେ ସଫଳ ହୋଇନାହାନ୍ତି । ଏହାକୁ ବିଜେପି ସରକାରଙ୍କ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଥମ ଦିନରୁ ଆମ ଆଦମୀ ପାର୍ଟି ଅଭିଯୋଗ କରିଆସିଛି । କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି କେନ୍ଦ୍ରରେ ମୋଦି ସରକାର ବିରୋଧୀଙ୍କୁ ଭୟଭୀତ କରିବାରେ ଲାଗିଛି ବୋଲି ଆମ ଆଦମୀ ପାର୍ଟି କହିଛି । ସେହିପରି ଜଣେ ହେଲେ ବିଜେପି ନେତା ଓ ଏନଡିଏ ମେଣ୍ଟ ସହଯୋଗୀ ଦଳର ନେତାଙ୍କୁ କୌଣସି ଦୁର୍ନୀତି ମାମଲାରେ କାହିଁକି ଇଡି ଗିରଫ କରୁନି ବୋଲି ତମାମ ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details