ରାଞ୍ଚି: ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଷଷ୍ଠ ଥର ପାଇଁ ଇଡି ହେମନ୍ତ ସୋରେନଙ୍କୁ ସମନ ଜାରି କରିଛି । ଅର୍ଥ ହେରଫେର ମାମଲା ହେମନ୍ତଙ୍କୁ ପଚରାଉଚାର କରାଯିବ । ଆସନ୍ତାକାଲି(ମଙ୍ଗଳବାର) ଇଡିରେ ହାଜର ହେବାକୁ ତାଙ୍କୁ ସମନ ଜାରି କରାଯାଇଛି । ପୂର୍ବରୁ ପାଞ୍ଚ ଥର ସମନ ଜାରି କରାଯାଇଥିଲେ ମଧ୍ୟ ଥରେ ବି ଇଡିରେ ହାଜର ହୋଇନଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ-ED summons: ହେମନ୍ତଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଝଟକା, ଇଡି ବିରୋଧରେ ଆବେଦନ ଖାରଜ
ଜମି ଘୋଟାଲା ମାମଲାରେ ଇଡିରେ ହାଜର ହେବାକୁ ପ୍ରଥମେ ଅଗଷ୍ଟ 8 ତାରିଖରେ ହେମନ୍ତଙ୍କୁ ସମନ ଜାରି କରିଥିଲା ଇଡି । ଅଗଷ୍ଟ 14, 24, ସେପ୍ଟେମ୍ବର 9 ଓ 23ରେ ହାଜର ହେବାକୁ କୁହାଯାଇଥିଲା। ପଞ୍ଚମ ଥର ପାଇଁ ଅକ୍ଟୋବର 4 ତାରିଖରେ ହାଜର ହେବାକୁ ସମନ କରାଯାଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିଥିଲେ । ଶେଷରେ ଆଜି ଷଷ୍ଠ ଥର ପାଇଁ ଇଡି ତାଙ୍କୁ ସମନ କରିଛି । ଆସନ୍ତାକାଲି ଇଡିରେ ହାଜର ହେବାକୁ ସୋରେନଙ୍କୁ ଜାରି ହୋଇଥିବା ସମନରେ ଉଲ୍ଲେଖ ରହିଛି । ଇଡିର ସମନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସର୍ବୋଚ୍ଚ କୋର୍ଟ ଦ୍ୱାରସ୍ଥ ହୋଇଥିଲେ ହେମନ୍ତ । କିନ୍ତୁ ହେମନ୍ତଙ୍କ ପିଟିସନର ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଥିଲେ । ଏହାପରେ ଝାଡଖଣ୍ଡ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ସୋରେନ ।