ରାଞ୍ଚି:ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣିଥରେ ଇଡିରୁ ଡାକରା ଆସିଛି । ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସୋରେନଙ୍କୁ ନୂଆ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଆସନ୍ତା ୨୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି । ଏହାକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟ୍ବିଟ୍ କରି ସୋରେନଙ୍କୁ କଟାକ୍ଷ କରିଛନ୍ତି । ପୂର୍ବରୁ ଜେରା ପାଇଁ ମିଳିଥିବା ନୋଟିସରେ ମୁଖ୍ୟମନ୍ତ୍ରୀ ଇଡିରେ ହାଜର ହୋଇନଥିଲେ ।
ସୂଚନା ମୁତାବକ, ଜମି ଘୋଟାଲା ମାମଲା ସଂକ୍ରାନ୍ତରେ ପଚରାଉଚରା ପାଇଁ ଗତ ୧୪ ତାରିଖରେ ହାଜର ହେବାକୁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ କରିଥିଲା । ମାତ୍ର ସୋରେନ ଗୋଟିଏ ଲମ୍ବା ଚଉଡା ଚିଠି ଲେଖି ଇଡି କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ । ତେଣୁ ପୁନର୍ବାର ଏଜେନ୍ସି ତାଙ୍କୁ ନୂଆ ନୋଟିସ୍ ଜାରି କରିପାରେ ବୋଲି ଅନୁମାନ କରାଯାଉଥିଲା । ଏବେ ସୋରେନଙ୍କୁ ୨୪ ତାରିଖରେ ହାଜର ହେବାକୁ ଡାକରା ଆସିଥିବାର ଖବର ମିଳିଛି ।
ରାଜା ସାହାବଙ୍କୁ ଚା' ପାଇଁ ଡାକରା ଆସିଛି:ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଗୋଟିଏ ଟ୍ବିଟ୍ ଆଜି ବେଶ୍ ଚର୍ଚ୍ଚାରେ ରହିଛି । ସାଂସଦ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ କଟାକ୍ଷ କରି ଲେଖିଛନ୍ତି, ରାଜା ସାବାବଙ୍କୁ ଇଡି ପୁଣିଥରେ ଚା' ପିଇବାକୁ ଡକାଇଛି । ୨୪ ତାରିଖର ଚା' ପାଇଁ ଡାକରା ଆସିଛି । ଏହାପୂର୍ବରୁ ଇଡିର ସମନରେ ମୁଖ୍ୟମନ୍ତ୍ରୀ ହାଜର ହୋଇନଥିଲେ ।