ଓଡିଶା

odisha

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ED ସମନ

By ETV Bharat Odisha Team

Published : Dec 18, 2023, 6:59 PM IST

ED summons Delhi CM Kejriwal:ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ED ସମନ । 21ରେ ହେବେ ହାଜର । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ED ସମନ
ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ED ସମନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । ଚଳିତମାସ (ଡିସେମ୍ବର) 21 ତାରିଖରେ ତାଙ୍କୁ ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସରେ କୁହାଯାଇଛି । ପୂର୍ବରୁ ମଧ୍ୟ କେଜ୍ରିଓ୍ବାଲଙ୍କୁ ସମନ ଜାରି କରାଯାଇଥିଲା । ହେଲେ ସେ ସରକାରୀ କାମରେ ବ୍ୟସ୍ତ ଥିବାରୁ ହାଜର ହୋଇପାରିବେ ନାହିଁ ବୋଲି ସଂସ୍ଥାକୁ ଦର୍ଶାଇଥିଲେ । ଏବେ ସେ ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

ଚଳିତ ବର୍ଷ ଫେବୃଆରୀରେ ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ପ୍ରଥମ ଗିରଫଦାରୀ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଥିଲା । କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ନୂତନ ଅବକାରୀ ନୀତି ପ୍ରସ୍ତୁତିରେ ହୋଇଥିବା ଘୋଟାଲାରେ ପ୍ରତ୍ୟେକ୍ଷ ସମ୍ପୃକ୍ତି ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଏହା ପରେ ସେ ଜେଲରେ ପୁଣି ଥରେ ଇଡି ଦ୍ବାରା ମଧ୍ୟ ଗିରଫ ହୋଇଥିଲେ । ଏବେ ସୁଦ୍ଧା ସେ ବେଲ ପାଇବାରେ ସଫଳ ହୋଇନଥିବା ବେଳେ ନିକଟରେ ସର୍ବୋଚ୍ଚ କୋର୍ଟ ମଧ୍ୟ ତାଙ୍କ ବେଲର ପୁନର୍ବିଚାର ଆବେଦନ ଖାରଜ କରିଦେଇଛନ୍ତି । ସିସୋଦିଆ ଏବେ ତିହାର ଜେଲରେ ରହିଛନ୍ତି ।

ନିକଟରେ ସମାନ ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି । ସେ ଏବେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ତାଙ୍କ ବେଲ ଆବେଦନର ଶୁଣାଣି କରି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଯାହା ଚଳିତ 21 ତାରିଖରେ ପ୍ରକାଶ ପାଇବାକୁ ଯାଉଛି । ଏହି ଘୋଟାଲା ମାମଲା ଏବେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଗିରଫ ପରେ ଦଳୀୟ ନେତାଙ୍କୁ ବେଲ ମଧ୍ୟ ମିଳୁନି । ଅନ୍ୟ କିଛି ଆମ ଆଦମୀ ପାର୍ଟି ନେତା କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ସ୍କାନରରେ ଥିବା ବେଳେ ଏବେ ଜେରା ପାଇଁ ସିଧା ଦଳମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଡାକିଛି ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ:- Delhi excise policy case: କେଜ୍ରିଓ୍ବାଲଙ୍କୁ ସମନ, 2ରେ ଜେରା

ପ୍ରଥମରୁ ଆମ ଆଦମୀ ପାର୍ଟି ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଆସିଛି । କେନ୍ଦ୍ରରେ ଶାସନରେ ଥିବା ବିଜେପି ସରକାର କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି ବିରୋଧୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ଦଳ କହିଛି । କେବଳ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଧମକ ନୁହେଁ ବରଂ ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଭାଙ୍ଗିବା ପାଇଁ ବିଜେପି ଆପର ବିଧାୟକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇଥିବା ଅଭିଯୋଗ କରିଥିଲା ଦଳ । ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details