ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଡ଼ୁଆରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ପୁଣିଥରେ ଇଡିରୁ ସମନ ଆସିଛି । ଚତୁର୍ଥ ଥର ପାଇଁ କେଜ୍ରିୱାଲଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଆସନ୍ତା 18 ତାରିଖରେ ପଚରାଉଚରା ପାଇଁ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ତାଙ୍କୁ 3 ଥର ସମନ କରାଯାଇଥିଲେ ହେଁ ସେ ହାଜର ହୋଇନଥିଲେ । ଏହି ସମନଗୁଡିକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଏଡ଼ାଇ ଦେଇଥିଲେ ଆପ୍ ସୁପ୍ରିମୋ ।
ଏହା ମଧ୍ୟ ପଢନ୍ତୁ: ଇଡି ସମନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ କେଜ୍ରିୱାଲ, ଆଜି ହେବେନି ହାଜର
ଗତ ଜାନୁୟାରୀ 3 ତାରିଖରେ ହାଜର ହେବାକୁ ଇଡି ତୃତୀୟ ଥର କେଜ୍ରିୱାଲଙ୍କୁ ନୋଟିସ ପଠାଇଥିଲା । ଏହା ପୂର୍ବରୁ ନଭେମ୍ବର 2 ଓ ଡିସେମ୍ବର 21ରେ ସମନ ହୋଇଥିଲେ ହେଁ ତଦନ୍ତ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲ ମନା କରି ଦେଇଥିଲେ । ତାଙ୍କର କହିବା କଥା ଥିଲା, ସେ ସବୁପ୍ରକାର ଆଇନଗତ ସମନକୁ ଗ୍ରହଣ କରିବାକୁ ପ୍ରସ୍ତୁତ । କିନ୍ତୁ ଇଡିର ଏହି ସମନଗୁଡ଼ିକ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ । ଏହାକୁ ଫେରାଇ ନିଆଯିବା ଉଚିତ୍ । କେବଳ ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ସମନ କରାଯାଉଛି । ତେବେ ସେ ନିଜର ପୁରା ଜୀବନ ସଚ୍ଚୋଟତା ଓ ପାରଦର୍ଶିତାର ସହ ବଞ୍ଚିଛନ୍ତି । ତାଙ୍କ ପାଖରେ ଲୁଚାଇବାକୁ କିଛି ନାହିଁ ବୋଲି ଜବାବ ପଠାଇଥିଲେ କେଜ୍ରିୱାଲ ।