କୋଲକାତା:ମୋବାଇଲ ଗେମିଂ ଆପ୍ଲିକେସନ ସ୍ମାମରେ ଆଜି କୋଲକାତାରେ ଏକାଧିକ ସ୍ଥାନରେ ଏକକାଳୀନ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏହି ଚଢାଉରେ ମୋଟ ୭ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଆଜି ପୂର୍ବାହ୍ନରୁ ସହରର ଏକାକାଳୀନ ପ୍ରାୟ ୬ଟି ଆଡ୍ଡାରେ ଇଡିର ଏକାଧିକ ଟିମ ଚଢାଉ କରିଥିଲା । ଏତେ ପରିମାଣର ଟଙ୍କା ଜବତ ହେବା ପରେ ଏଗୁଡିକୁ ଗଣିବା ମଧ୍ୟ ଅଧିକାରୀଙ୍କ ପକ୍ଷେ ସମ୍ଭବ ହୋଇନଥିବା ବେଳେ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କୁ ଇଲୋଟ୍ରୋନିକ୍ସ କାଉଣ୍ଟିଂ ମେସିନ ଆଣିବାକୁ ପଡିଥିଲା ।
ଗତ କିଛି ଦିନ ହେବ କୋଲକାତା ସହରର ଏକାଧିକ ସନ୍ଦିଗ୍ଧ ଆଡ୍ଡା ଇଡି ସ୍କାନରରେ ରହିଆସିଥିଲା । ଏନେଇ ସୂଚନା ଏକତ୍ରିତ କରିବା ପରେ ମନି ଲଣ୍ଡ୍ରିଂ ଆକ୍ଟ (PMLA-2002) ଅନୁସାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଇଡି ଅଧିକାରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୭ କୋଟି ଟଙ୍କା ଜବତ ହୋଇଥିବା ଜଣାପଡିଥିବା ବେଳେ ଚୂଡାନ୍ତ ଗଣତି ଶେଷ ହେବା ପରେ ଏହି ପରିମାଣ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ କାହାରିକୁ ଗିରଫ କରାଯାଇନଥିବା ସହ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।