ହାଇଦ୍ରାବାଦ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ପଲିସି ଘୋଟାଲା ମାମଲାରେ ପ୍ରାୟ ବର୍ଷେ ହେବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସ୍କାନରରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ଝିଅ ତଥା ରାଜ୍ୟ ବିଧାନ ପରିଷଦ ସଦସ୍ୟା କେ. କବିତାଙ୍କୁ ପୁଣି ନୋଟିସ ଜାରି କରିଛି ଇଡି । ହେଲେ ଏହାକୁ ବିଜେପି ସରକାରର ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ମୋଦି ନୋଟିସ ପାଇଲି ବୋଲି କବିତା କହିଛନ୍ତି ।
କବିତା କହିଛନ୍ତି, ଏହି ନୋଟିସ ସେମାନଙ୍କ ଦଳର ସଫଳତାର ଏକ ଅଂଶ । ତେଣୁ ଏଥିପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ନାହିଁ । ସେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ମିଳିଥିବା ନୋଟିସ ଦଳ (ବିଆରଏସ) ଲିଗାଲ ଟିମକୁ ପଠାଯାଇଛି । ଏ ସମ୍ପର୍କରେ ଆଇନଗତ ତର୍ଜମା ଜାରି ରହିଛି । ଲିଗାଲ ସେଲର ପରାମର୍ଶ ଅନୁଯାୟୀ ସେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।
ଆହୁରି ମଧ୍ୟ କବିତା କହିଛନ୍ତି,‘‘ଏହି ମାମଲାରେ ଗତ ଏକ ବର୍ଷ ଧରି ଇଡିର ତଦନ୍ତ ଚାଲିଛି । ଏବେ ନିର୍ବାଚନ ଆସିଛି । ତେଣୁ ସେମାନେ ପୁଣି ଏକ ନୂଆ ଏପିସୋଡ୍ ଆରମ୍ଭ କରିଛନ୍ତି । ତେଣୁ ଏହା ସେମାନଙ୍କ (ବିଜେପି)ର ଏକ ରାଜନୈତିକ ସଫଳତା । ଏହାକୁ ଆମେ ଗମ୍ଭୀରତାର ସହ ବିଚାର କରୁନାହୁଁ । ଏପରି ପ୍ରକ୍ରିୟା କେତେଦିନ ଚାଲିବ ତାହା ମଧ୍ୟ ମୁଁ ଜାଣେ ନାହିଁ । ମୁଁ ଏହି ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ମଧ୍ୟ ନୁହେ । କେବଳ ଆଇନଗତ ପରାମର୍ଶ ଅନୁସାରେ ଏହାକୁ ସାମ୍ନା କରିବା ଜାରି ରଖିବି ।"