ନୂଆଦିଲ୍ଲୀ:କୋର୍ଟରେ ହାଜର ହେଲେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଜି ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ୧୦ ଦିନିଆ ରିମାଣ୍ଡ ଲାଗି ଇଡି କୋର୍ଟରେ ଦାବି କରିଛି । ସିସୋଦିଆ ନିଜର କିଛି ଘନିଷ୍ଠ ବ୍ୟବସାୟୀଙ୍କୁ ଅଧିକ ଲାଭାନ୍ବିତ କରିବା ଲାଗି ବାରମ୍ବାର ଦିଲ୍ଲୀ ଅବକାରୀ ନୀତିରେ ପରିବର୍ତ୍ତନ କରୁଥିଲେ । ଏହାଦ୍ବାରା କିଛି ବ୍ୟବସାୟୀ ୬ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଲାଭ ଉଠାଇଛନ୍ତି । ଏନେଇ ସିସୋଦିଆ ବାରମ୍ବାର ନିଜ ବୟାନ ବଦଳାଉଥିବାରୁ ତାଙ୍କୁ ଅଧିକ ପଚରା ଉଚରା କରିବା ଲାଗି ଇଡି ରିମାଣ୍ଡ ଲାଗି ଦାବି କରିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ CBI ପରେ ଗତକାଲି ଇଡି ଦ୍ବାରା ସିସୋଦିଆ ପୁଣି ଗିରଫ ହୋଇଥିଲେ । ତେବେ ଆସନ୍ତା 17 ତାରିଖ ଯାଏଁ ସିସୋଦିଆ ଇଡି ରିମାଣ୍ଡ ଗଲେ ।
ସେପଟେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣିର ତାରିଖକୁ ମଧ୍ୟ ଘୁଞ୍ଚାଯାଇଛି । ଆସନ୍ତା ୨୧ ତାରିଖରେ ତାଙ୍କର ଜାମିନ ଆବେଦର ଶୁଣାଣି ହେବ ବୋଲି ଜଣାପଡ଼ିଛି । କୋର୍ଟରେ ରିମାଣ୍ଡ ଲାଗି ନିଜ ପକ୍ଷ ରଖୁଥିବା ବେଳେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଛି ଇଡି । ଯେତେବେଳେ ଦିଲ୍ଲୀ ଅବକାରୀ ନୀତିରେ ବାରମ୍ବାର ପରିବର୍ତ୍ତନ ହେଉଥିଲା ସେତେବେଳେ ଏହା ଉପରେ ତୁରନ୍ତ ମଞ୍ଜୁରୀ ମଧ୍ୟ ମିଳୁଥିଲା । ଏହି ଘଟଣାରେ ସମସ୍ତ ପ୍ରମାଣକୁ ନଷ୍ଟ କରିବା ଲାଗି ୧ ବର୍ଷ ମଧ୍ୟରେ ପ୍ରାୟ ୧୪ଟି ମୋବାଇଲ ବଦଳାଯାଇ ଏହାକୁ ନଷ୍ଟ ମଧ୍ୟ କରାଯାଇଛି । ଏହା ଉପରେ ଅଧିକ ତଦନ୍ତ ଆବଶ୍ୟକ ଥିବା ଦର୍ଶାଇ ସିସୋଦିଆଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୁ କହିଥିଲା ଇଡି ।