ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିକୁ ନେଇ ତେଜୁଛି ବିବାଦ । ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ସ୍କାନରରେ ରହିଥିବାବେଳେ, ଏବେ ତନଘନା ଆରମ୍ଭ କରିଛି ଇଡି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଆଜି ଜାତୀୟ ରାଜଧାନୀ ସମେତ ୩୦ଟି ସ୍ଥାନରେ ରେଡ୍ କରିଛି (ED conducts raids across multiple states) । ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟରେ ଚଢାଉ କରାଯାଉଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ପ୍ରାୟ ୬ଟି ରାଜ୍ୟରେ ରେଡ୍ ଚାଲିଛି । ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଙ୍କ ସରକାରୀ ବାସଭବନ ବ୍ୟତୀତ ଅନେକ ସ୍ଥାନରେ ଇଡି ତଲାସି କରୁଛି । ଏହାବ୍ୟତୀତ ଇଣ୍ଡୋସିରିଟିର ପରିଚାଳନା ନିର୍ଦ୍ଦେଶକ(Indospirit managing director) ସମୀର ମହେନ୍ଦ୍ରୁଙ୍କ ସାଉଥ୍ ଦିଲ୍ଲୀ ସ୍ଥିତ ଜୋର ବାଗ ଅଞ୍ଚଳରେ ଥିବା ବାସଭବନରେ ମଧ୍ୟ ରେଡ୍ ଜାରି ରହିଛି । ଗତ ଅଗଷ୍ଟ ୧୯ ତାରିଖରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଥିଲା । ତାଙ୍କ ଘର ସମେତ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନରେ ଚଢାଉ କରାଯାଇଥିଲା । ଚଢ଼ାଉ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ସିବିଆଇ ।