କୋଲକାତା:ଆକ୍ସନ ମୋଡ୍ରେ ଇଡି । ବିଭିନ୍ନ ଦୁ୍ର୍ନୀତି ମାମଲାରେ ନେତାମନ୍ତ୍ରୀଙ୍କ ଘରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାସନ ବଣ୍ଟନରେ ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ଗିରଫ କରିଛି ଇଡି । ଗୁରୁବାର ଦୀର୍ଘ ଘଣ୍ଟା ଧରି ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ବାସଭବନରେ ଚଢାଉ ପରେ ଆଜି(ଶୁକ୍ରବାର) ମାରାଥନ ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ଇଏସ୍ଆଇ ହସ୍ପିଟାଲକୁ ନିଆଯାଇଛି ।
ପିଡିଏସ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କ ବାସଭବନରେ ଗତକାଲି(ଗୁରୁବାର) ଇଡି ଚଢାଉ କରିଥିଲା । ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଏହି ଚଢାଉ ହୋଇଥିଲା । ଗତ ସପ୍ତାହରେ ଇଡି ଏହି ସମାନ ମାମଲାରେ ବ୍ୟବସାୟୀ ବକିବୁର ରେହମାନକୁ ଗିରଫ କରିଥିଲା । ସେ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ଘନିଷ୍ଠ ହୋଇଥିବା ଜଣାପଡିଛି । ଏହା ପରେ ଇଡିର ଏକ ଟିମ୍ କୋଲକାତାର ସଲ୍ଟ ଲେକ୍ ସ୍ଥିତ ଶାସକ ଟିଏମସିର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ଦୁଇଟି ଫ୍ଲାଟରେ ଚଢଉ କରିଥିଲା । ଦୀର୍ଘ ଘଣ୍ଟା ଧରି ଚଢାଉ ଓ ପଚରାଉଚରା ପରେ ଆଜି(ଶୁକ୍ରବାର) ଇଡି ତାଙ୍କୁ ଗିରଫ କରିଛି ।