ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ(Delhi excise policy scam case) । ପୁଣି ଜଣେ ବ୍ୟବସାୟୀ ଗିରଫ । ବ୍ୟବସାୟୀ ଅମିତ ଅରୋରାଙ୍କୁ ଆଜି ଗିରଫ କରିଛି ଇଡି । ଅମିତ ବଡୀ ରିଟେଲ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିବା ସୂଚନା ।
ଦିଲ୍ଲୀ ଅବକାରୀ ମାମଲାର ପଚରାଉଚରା ପାଇଁ ଆଜି ଅମିତ ଅରୋରାଙ୍କୁ କୋର୍ଟରେ ହାଜର କରିପାରେ ଇଡି । ତେବେ ଅମିତଙ୍କ ସହ ଅମିତ ବଡୀ ରିଟେଲ୍ର ଅନ୍ୟ ଜଣେ ନିର୍ଦ୍ଦେଶକ ଦିନେଶ ଆରୋରାଙ୍କ ନାମରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି ଉଭୟ ଇଡି ଏବଂ ସିବିଆଇ । ତେବେ ଗିରଫ ଅଭିଯୁକ୍ତ ଅମିତ ଅରୋରା, ଦୀନେଶ ଅରୋରା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଙ୍କ ସହଯୋଗୀ ବୋଲି ଚର୍ଚ୍ଚା ଜୋର ଧରିଛି ।
ଦିଲ୍ଲୀ ଅବକାରୀ ନୀତି ସ୍କାମ ମାମଲାରେ ନଭେମ୍ବର ୨୫ ତାରିଖରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ(CBI) ।FIRରେ ସିବିଆଇ ସିସୋଦିଆଙ୍କୁ ଅଭିଯୁକ୍ତ ନମ୍ବର ୧ ବୋଲି ଦର୍ଶାଯାଇଥିଲା । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତତ୍କାଳୀନ ଅବକାରୀ(Excise) କମିଶନର ଅର୍ବ ଗୋପୀକୃଷ୍ଣ, ତତ୍କାଳୀନ ଡେପୁଟି ଅବକାରୀ(Excise) କମିଶନର ଆନନ୍ଦ ତିୱାରୀ ଓ ଆସିଷ୍ଟାଣ୍ଟ କମିଶନର(Excise) ପଙ୍କଜ ଭଟନଗର ଔପଚାରିକ ଅନୁମୋଦନ ବିନା ଟେଣ୍ଡର ଅବଧି ଶେଷ ପରେ ମଧ୍ୟ ଲାଇସେନ୍ସ ପ୍ରଦାନ କରିବା ସହ ଅବକାରୀ ନୀତି 2021-22ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ବୋଲି FIRରେ ଉଲ୍ଲେଖ କରାଯାଇଥିଲା ।
ତେବେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମେ ଇଡି ମଦ ବ୍ୟବସାୟୀ ସମୀର ମହେନ୍ଦ୍ରଙ୍କୁ ଜେରା କରିବା ପରେ ସେପ୍ଟେମ୍ବର ୨୭ରେ ଗିରଫ କରିଥିଲା । ଏହାସହ ଅକ୍ଟୋବର ମାସରେ ଦିଲ୍ଲୀର ୧୨ରୁ ଅଧିକ ସ୍ଥାନରେ ରେଡ କରାଯାଇଥିଲା ।