ହାଇଦ୍ରାବାଦ: ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ନୋବେଲ ଓ ଭାରତରତ୍ନ ବିଜେତା ଅମର୍ତ୍ତ୍ୟ ସେନା ଜୀବିତ ଓ ସୁସ୍ଥ ଅଛନ୍ତି । ଆଜି ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଥିବା ନେଇ ଯେଉଁ ଖବର ପ୍ରସାରିତ ହୋଇଥିଲା, ତାହା ମିଥ୍ୟା । ଇଟିଭି ଭାରତକୁ ସୂଚନା ଦେଇ ତାଙ୍କ ଝିଅ ନନ୍ଦନା ଅମର୍ତ୍ତ୍ୟ ସେନ ଜୀବିତ ଓ ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି । ପ୍ରସାରିତ ହୋଇଥିବା ଖବର ମିଥ୍ଯା ଓ ତାଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ଓ ପୂର୍ବ ପରି ନିଜ କାର୍ଯ୍ୟ ଜାରି ରଖିଥିବା ସେ ଇଟିଭି ଭାରତକୁ କହିଛନ୍ତି ।
ଆଜି(ମଙ୍ଗଳବାର) ଅପରାହ୍ନରେ ଏହି 89 ବର୍ଷୀୟ ଏହି ଭେଟେରାନ ଅର୍ଥଶାସ୍ତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ଖବର ପ୍ରସାରିତ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ସହ ଏକାଧିକ ଜାତୀୟ ଗଣମାଧ୍ୟମ ଓ ଖବର ସରବରାହ ସଂସ୍ଥା ମଧ୍ୟ ସେନାଙ୍କ ଦେହାନ୍ତ ହୋଇଥିବା ନେଇ ଖବର ପ୍ରସାରିତ କରିଥିଲେ । ତେବେ ଏ ସମ୍ପର୍କରେ ସଠିକ ସୂଚନା ପାଇଁ ଇଟିଭି ଭାରତ ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେନଙ୍କ ଝିଅ ନନ୍ଦନା ଏହି ମୃତ୍ୟୁ ଖବରକୁ ଖଣ୍ଡନ କରିବା ସହ ତାଙ୍କ ବାପା ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି ।
ଏ ସମ୍ପର୍କରେ ଝିଅ ନନ୍ଦନା ଏକ ଫଟୋ ପୋଷ୍ଟ କରି ଟ୍ବିଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ସେନଙ୍କର ବର୍ତ୍ତମାନ ସମୟର ଏକ ଫଟୋ ସହ ଲେଖିଛନ୍ତି,‘‘ସେ (ଅମର୍ତ୍ତ୍ଯ ସେନ) ସୁସ୍ଥ ଅଛନ୍ତି । ତାଙ୍କ ସମ୍ପର୍କରେ ଯେଉଁ ମିଥ୍ୟା ଖବର ପ୍ରସାରିତ କରାଯାଇଛି, ସେ ସମ୍ପର୍କରେ ଉଦବେଗ ପ୍ରକାଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଆମେମାନେ ସପରିବାର କେମ୍ବ୍ରିଜରେ ଗତ ସପ୍ତାହ କାଟିଥିଲୁ । ଗତକାଲି ରାତିରେ ମଧ୍ୟ ସେ ସ୍ବାଭାବିକ ଭାବେ ଆଲିଙ୍ଗନ ମଧ୍ୟ କରିଥିଲେ । ସେ ଏବେ ହାଭାର୍ଡ ବିଶ୍ବବିଦ୍ୟାଳୟରେ ସପ୍ତାହକୁ ଦୁଇଟି କୋର୍ସରେ ପାଠ ପଢାଉଛନ୍ତି । ପୂର୍ବ ପରି ନିଜର ଜେଣ୍ଡର ବୁକ୍ କାର୍ଯ୍ୟରେ ବ୍ୟସ୍ତ ମଧ୍ୟ ଅଛନ୍ତି ।’’
ଏହି ବିଶିଷ୍ଟ ଅର୍ଥଶାସ୍ତ୍ରୀ ଅର୍ଥନୀତି କ୍ଷେତ୍ରରେ ନିଜର ଗଭୀର ଅଧ୍ୟୟନ ଓ ଉପଲବ୍ଧି ପାଇଁ ସମ୍ମାନଜନକ ‘ନୋବେଲ’ ପୁରସ୍କାରରେ ସାମ୍ନାନିତ ହୋଇଛନ୍ତି । ସେହିପରି ଦେଶରେ ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି । ସେ ଏବେ ଲଣ୍ଡନରେ ରହୁଥିବା ବେଳେ ଅର୍ଥନୀତିରେ ବିଶ୍ବର ଏକାଧିକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ମଧ୍ୟ କରୁଛନ୍ତି । 89 ବର୍ଷରେ ପାଦ ଦେଇଥିବା ଏହି ଅର୍ଥନୀତି ଭେଟେରାନ ଏବେ ମଧ୍ୟ ଅର୍ଥନୀତି କ୍ଷେତ୍ରରେ ନିଜର ଅଧ୍ୟୟନ ଓ ଗବେଷଣା ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ