ହାଇଦ୍ରାବାଦ:ଆସନ୍ତାକାଲି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପୂର୍ବରୁ ଆଜି ଅଧିବେଶନର ପ୍ରଥମ ଦିନରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ତେବେ ଏହି ସର୍ବେକ୍ଷଣ ରିପୋର୍ଟରେ ଏକାଧିକ କ୍ଷେତ୍ରରେ ଆସନ୍ତା ଆର୍ଥିକ ବର୍ଷ (2023-24)ରେ ହେବାକୁ ଥିବା ଆର୍ଥିକ ପ୍ରଭାବ ଉପରେ ତର୍ଜମା ସମ୍ପର୍କିତ ପୂର୍ବାକଳନ ରହିଛି । ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଏହି ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ରହିବା ନେଇ ସର୍ବେକ୍ଷଣର ରିପୋର୍ଟରେ ଦର୍ଶାଯାଇଛି ।
ସୀତାରମଣ ଉପସ୍ଥାପିତ କରିଥିବା ପ୍ରାକ ବଜେଟ ସର୍ବେକ୍ଷଣରେ ବିମାନ ଉଡାଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବା କଥା ଉଲ୍ଲେଖ କରାଯାଇଛି । ମଧ୍ୟବିତ୍ତ ବର୍ଗର ଯାତ୍ରୀଙ୍କ ମଧ୍ୟରେ ବିମାନ ଯାତ୍ରା ଚାହିଦା, ଅଧିକ ବ୍ୟବହାର ଯୋଗ୍ୟ ଆୟ ଏବଂ ଅନୁକୂଳ ଜନସଂଖ୍ୟା କାରଣରୁ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଭଲ ଆର୍ଥିକ ପ୍ରଦର୍ଶନ ପାଇଁ ବ୍ୟାପକ ସମ୍ଭାବନା ରହିଛି ବୋଲି ଆଜି (ମଙ୍ଗଳବାର) ସଂସଦରେ ପ୍ରକାଶିତ ଅର୍ଥନାତିକ ସର୍ଭେରେ ଉଲ୍ଲେଖ କରାଯାଇଛି ।