ନୂଆଦିଲ୍ଲୀ:କୋରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ 5ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ । କୋରୋନା ସଂକ୍ରମଣ ସାମାନ୍ୟ କମିଥିବାବେଳେ ମୃତ୍ୟୁସଂଖ୍ୟା ଦେଶରେ ଭୟ ସୃଷ୍ଟି କରିଛି । କୋଭିଡ ଯୋଗୁଁ ନିର୍ବାଚନର ରାଲି, ସମାବେଶ ଏବଂ ରୋଡ ଶୋ ପାଇଁ କଟକଣା ଜାରି ହୋଇଥିବାବେଳେ ଏହା ବଳବତ୍ତର ରହିବ ନା କିଛି ମାତ୍ରାରେ କୋହଳ ହେବ ସେନେଇ ସଭିଙ୍କ ନଜର ରହିଛି । ତେବେ ଆଜି(ସୋମବାର) ଏନେଇ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ ।
ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସମୀକ୍ଷା ବୈଠକ କରିବେ ନିର୍ବାଚନ ଆୟୋଗ । ଯେଉଁଥିରେ 5 ରାଜ୍ୟରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନୀ ପ୍ରଚାର ଉପରେ କଟକଣା ଲାଗିବ ନା କୋହଳ ହେବ, ସେନେଇ ନିଷ୍ପତ୍ତି ନିଆଯିବ । ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଗତ ଜାନୁଆରୀ 8 ତାରିଖରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁର ନିର୍ବାଚନ ପାଇଁ ପ୍ରତ୍ୟକ୍ଷ ରାଲିରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଗତ 22 ଜାନୁଆରୀରେ ନିର୍ବାଚନ ଆୟୋଗ ଦ୍ବାରା ଏହି କଟକଣାକୁ ଜାନୁଆରୀ 31 ଯାଏ ବୃଦ୍ଧି କରାଯାଇଥିଲା ।