ନୂଆଦିଲ୍ଲୀ:ପାଖେଇ ଆସୁଛି ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ । ଅନ୍ୟପଟେ କୋରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ମୁଖ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ କରିବେ ନିର୍ବାଚନ ଆୟୋଗ (Election Commission of India) । ବୈଠକରେ ନିର୍ବାଚନ ସମୟରେ ବ୍ୟାନ ହୋଇଥିବା ରୋଡ ଶୋ ଓ ରାଲିକୁ ନେଇ ଆଲୋଚନା ହେବା ନେଇ ସୂଚନା ମିଳିଛି ।
ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ ଆୟୋଗ ନିର୍ବାଚନୀ ରାଲି ଓ ସମାବେଶ ଉପରେ ଜାନୁଆରୀ 22 ପର୍ଯ୍ୟନ୍ତ କଟକଣା ଲଗାଇଥିଲେ । ତେବେ ଏହି ପ୍ରତିବନ୍ଧକ ହଟିବ କି ନାହିଁ ସେନେଇ ଆଜି ଆଲୋଚନା ହୋଇପାରେ । ସଂକ୍ରମଣ ମଧ୍ୟରେ ମଣିପୁର, ଉତ୍ତରପ୍ରଦେଶ, ପଞ୍ଚାବ, ଉତ୍ତରାଖଣ୍ଡ ଓ ଗୋଆରେ ହେବ ବିଧାନସଭା ନିର୍ବାଚନ । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କୋରୋନା ସ୍ଥିତି ନେଇ ମଧ୍ୟ ଆଜି ବୈଠକରେ ଆଲୋଚନା ହେବ । ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ସଚିବଙ୍କ ସହ କଥାବାର୍ତ୍ତା ହେବା ପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇପାରନ୍ତି । ତେବେ ରାଜ୍ୟଗୁଡିକରେ ନିର୍ବାଚନ ପୂର୍ବରୁ ସର୍ବାଧିକ ଭୋଟରଙ୍କୁ ଟୀକାକରଣ କରିବା ନିର୍ବାଚନ ଆୟୋଗର ଲକ୍ଷ୍ୟ ।