ହାଇଦ୍ରାବାଦ: ତେଲେଙ୍ଗାନାରେ ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ବଡ ଝଟକା ଲାଗିଛି । ରାଜ୍ୟ ସରକାରଙ୍କ ‘ରାଇଥୁ ବନ୍ଧୁ’ ଯୋଜନାରେ ହିତାଧିକାରୀଙ୍କୁ କିସ୍ତି ଅର୍ଥରାଶି ପ୍ରଦାନ ପାଇଁ ଜାରି କରାଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିଛି ନିର୍ବାଚନ କମିଶନ । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ଦର୍ଶାଇ ଆୟୋଗ ଏହାକୁ ତତ୍କାଳ ପ୍ରଭାବ ସହ ବନ୍ଦ ରଖିବାକୁ ଆୟୋଗ ନିର୍ଦ୍ଦେଶ ଜାରି କରିଛି । 3 ଦିନ ପୂର୍ବରୁ ଏହି କେସିଆର ସରକାରଙ୍କୁ ଏହି ଯୋଜନାରେ କିସ୍ତି ଅର୍ଥରାଶି ବଣ୍ଟନ ପାଇଁ ଅନୁମତି ଦେଇଥିଲେ କେନ୍ଦ୍ର ନିର୍ବାଚନ କମିଶନ ।
ରାଜ୍ୟରେ ଚଳିତ ମାସ 30 ତାରିଖରେ ଭୋଟିଂ ହେବାକୁ ଯାଉଥିବା ବେଳେ 28 ତାରିଖ ପୂର୍ବରୁ ଏହି କିସ୍ତି ରାଶି ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ କହିଥିଲେ ଆୟୋଗ । ଏହା ସହ ଏହି ଯୋଜନାକୁ କୌଣସି ରାଜନୈତିକ ସଭା ସମିତି କିମ୍ବା ନିର୍ବାଚନ ପ୍ରଚାରରେ ବ୍ୟବହାର ନକରିବା ପାଇଁ ମଧ୍ୟ ଅନୁମତି ସର୍ତ୍ତରେ ଉଲ୍ଲେଖ ନିର୍ବାଚନ ଆୟୋଗ କରିଥିଲେ । ମାତ୍ର ମିଳିଥିବା ଅନୁମତି ଅବଧି ଶେଷ ହେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ଦର୍ଶାଇ ନିର୍ବାଚନ ଆୟୋଗ ଅନୁମତି ପ୍ରତ୍ୟାହାର କରିଛନ୍ତି ।
କେସିଆର ସରକାରଙ୍କ କୃଷକ ସହାୟତା ରାଶି ପ୍ରଦାନ ଯୋଜନା ହେଉଛି ‘ରାଇଥୁ ବନ୍ଧୁ’ ଯୋଜନା । ଏହି ଯୋଜନାରେ ରାଜ୍ୟ ସରକାର କୃଷକଙ୍କୁ ଦୁଇଟି ଅମଳ ଋତୁ ରବି ଓ ଖରିପ ପାଇଁ 5 ହଜାର ଟଙ୍କା ଲେଖାଏଁ ପ୍ରତି କିସ୍ତି ଅନୁସାରେ 10 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି । ଏଥିରେ ରାଜ୍ୟର ପ୍ରାୟ 70 ଲକ୍ଷ କୃଷକ ଲାଭାନ୍ବିତ ହେଉଛନ୍ତି । ତେବେ ଏବେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବା ବେଳେ ଏହି ସହାୟତା ରାଶି ପ୍ରଦାନକୁ ଅନୁମତି ଦେବା ପାଇଁ କେସିଆର ସରକାର ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିଲା ।