ଲଦାଖ: ଆଜି (ଶୁକ୍ରବାର) ଲେହ-ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି । ଭୋର ପ୍ରାୟ 4ଟା 19ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.8 ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଆଲଚିର 189 କିମି ଉତ୍ତର (189 km N)ରେ ରହିଛି । ଯାହାର ଗଭୀରତା 10 କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ 35.89 ଏବଂ ଦ୍ରାଘିମା 77.57 ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏହା ପୂର୍ବରୁ ଗତ ଜୁଲାଇ ମାସରେ ଲେହ-ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ପ୍ରାୟ 8ଟା 42ରେ ଭୂକମ୍ପ ହୋଇଥିବା ବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.1 ରହିଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖର 293 କିମି ପୂର୍ବ-ଉତ୍ତର -ପୂର୍ବ (293 km ENE)ରେ ରହିଥିଲା । ଯାହାର ଗଭୀରତା 35 କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ 35.18 ଏବଂ ଦ୍ରାଘିମା 80.53 ରହିଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିଲା । ସେହପରି 2021 ନଭେମ୍ବରରେ ମଧ୍ୟ ପୂର୍ବ ଲେହ ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା (earthquake hits ladakh leh) । ରିକ୍ଟର ସ୍କେଲରେ ତୀବ୍ରତା ୩.୭ ଆକଳନ ହୋଇଥିଲା।