ନୂଆଦିଲ୍ଲୀ:ଫ୍ରାନ୍ସର ପ୍ରତିପକ୍ଷ ଜାନ-ୟେଭସ୍ ଲେ ଡ୍ରିଆନଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଗୁରୁତ୍ବ ଦିଆଯାଇଛି । ଆଜି ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି ।
ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ତାର ଗତିବିଧି ବଢାଇବାରେ ଲାଗିଥିବାବେଳେ ଭାରତ ଓ ଫ୍ରାନ୍ସ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଏପରି ସ୍ଥଳେ ପରସ୍ପର ସହ ସହଯୋଗ ବୃଦ୍ଧି କରିବାରେ ଲାଗିଛନ୍ତି ଦୁଇ ଦେଶ । ଗତ ମାସରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ ଭାରତ ଗସ୍ତ ସମୟରେ କହିଥିଲେ ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଅଧିକ ଆକ୍ରମଣାତ୍ମକ ହୋଇପଡୁଛି ।
ସେହିପରି ଚୀନର ଗତିବିଧି ନାଭିଗେସନ୍ ସ୍ୱାଧୀନତା ତଥା ଆନ୍ତର୍ଜାତୀୟ ନିୟମ ଭଙ୍ଗ ହେବା ପରି ସମସ୍ୟା ମଧ୍ୟ ସୃଷ୍ଟି କରିବାରେ ଲାଗିଲାଣି । ତେଣୁ ଏହାର ପ୍ରତିହତ ପାଇଁ ଭାରତ ଓ ଫ୍ରାନ୍ସ ପାରସ୍ପରିକ ସହଯୋଗ ଓ ସମ୍ପର୍କ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।