ନୂଆଦିଲ୍ଲୀ:8 ଦିନିଆଭାରତ ଗସ୍ତରେ ଆସିଥିବା ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚକ (Jigme Khesar Namgyal Wangchuk) ଆଜି (ରବିବାର) ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କୁ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି । ଭୁଟାନ ରାଜାଙ୍କ ଏହି ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଏବଂ ସହଯୋଗର ନିକଟତର ହେବା ନେଇ ଆଶାବ୍ୟକ୍ତ କରିଛି ବିଦେଶ ମନ୍ତ୍ରଣାଳୟ ।
ତେବେ ବିଦେଶ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଅତିଥି ରାଜା ୱାଙ୍ଗଚକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ସାକ୍ଷାତ କରିବେ । ଉଭୟଙ୍କ ମଧ୍ୟରେ ଦୁଇ ଦେଶର ଏକାଧିକ ମିଳିତ ପ୍ରସଙ୍ଗରେ ଆଲୋଚନା ହେବ । 8 ଦିନିଆ ଭାରତ ଗସ୍ତରେ ଆସିଥିବା ଭୁଟାନ ରାଜା ଶୁକ୍ରବାର ଭୁଟାନରୁ ଆସି ପ୍ରଥମେ ଆସାମରେ ପହଞ୍ଚିଥିଲେ । ଗୌହାଟୀ ବିମାନ ବନ୍ଦରରେ ତାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସ୍ବାଗତ କରିଥିଲେ । ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିର ଓ ନିଳାଚଲ ହିଲ୍ ପରିଦର୍ଶନ କରିବା ପରେ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ମଧ୍ୟ ଜଙ୍ଗଲ ସଫାରିର ଅନୁଭବ ନେଇଥିଲେ । ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଶୁକ୍ରବାର ଏ ସମ୍ପର୍କରେ ହିମନ୍ତ ବିଶ୍ବଶର୍ମା ଏକ୍ସରେ ଟ୍ବିଟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦୁଇ ଦେଶର ସମ୍ପର୍କ ଆହୁରି ଦୃଢ ହେବାରେ ଲାଗିଥିବା ବିଶ୍ବଶର୍ମା କହିଥିଲେ ।