ଲକ୍ଷ୍ନୌ:ଉତ୍ତର ପ୍ରଦେଶ କାନପୁର ଦେହତରେ ସୋମବାର ଜବରଦଖଲ ଉଚ୍ଛେଦ ବେଳେ ମା’ ଓ ଝିଅ ପୋଡି ହୋଇ ପ୍ରାଣ ହରାଇବା ଘଟଣା ରାଜ୍ୟ ରାଜନୀତିକୁ ଉଷ୍ମ କରିବାରେ ଲାଗିଛି । ଏହି ପ୍ରସଙ୍ଗ ଏବେ ବିଧାନସଭାରେ ଉଠିବାକୁ ଯାଉଛି । ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ ବଜେଟ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଯୋଗୀ ସରକାରଙ୍କୁ ଗୃହରେ ଘେରିବ ବିରୋଧୀ ସମାଜବାଦୀ ପାର୍ଟି । ଆଜି ଏନେଇ ଦଳ ପକ୍ଷରୁ ସୂଚନା ମିଳିଛି ।
ଆଜି ଏହି ପ୍ରସଙ୍ଗରେ ଏକ ପ୍ରେସମିଟ୍ କରିଛି ବିରୋଧୀ ସମାଜବାଦୀ ପାର୍ଟି । ପାର୍ଟିର ମୁଖ୍ୟ ସଚେତକ ମନୋଜ ପାଣ୍ଡେ କହିଛନ୍ତି, ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ଉତ୍ତର ମାଗିବ ଦଳ । ସରକାର ନିରପେକ୍ଷ ତଦନ୍ତ କରିବା ସହ ପୀଡିତ ପରିବାରକୁ 5 କୋଟି ଟଙ୍କାର ଅନୁକମ୍ପା ରାଶି ଓ ପରିବାରର ଦୁଇଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରନ୍ତୁ ବୋଲି ମଧ୍ୟ ସପା ଦାବି କରିଛି ।
ସେହିପରି ସମାଜବାଦୀ ନେତା ତଥା ସ୍ଥାନୀୟ କାନପୁର ବିଧାୟକ ଅମିତାଭ ବାଜପେୟୀ କହିଛନ୍ତି, ‘‘ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ମାମଲା ଭୂକ୍ତ କରି ପଦରୁ ନିଲମ୍ବିତ କରିବା ସହ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ସେହିପରି ବିରୋଧୀ ଦଳ ସମାଜବାଦୀ ପାର୍ଟିର ଏକ ପ୍ରତିନିଧି ଟିମ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶରେ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଚାହୁଁଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ଆଳରେ ସରକାର ଓ ପ୍ରଶାସନ ସେମାନଙ୍କୁ ଅନୁମତି ଦେଉନଥିବା’’ ମଧ୍ୟ ଅଭିଯୋଗ କରିଛି ଦଳ ।
ଦେହତରେ ଜବରଦଖଲ ଉଚ୍ଛେଦ ବେଳେ ଏକ କୁଡିଆରେ ଜଣେ ମହିଳା ଓ ତାଙ୍କ ଝିଅ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ । ପୀଡିତ ପରିବାର ଏହାକୁ ପ୍ରଶାସନର ଷଡଯନ୍ତ୍ର ବୋଲି କହିବା ସହ ଉଚ୍ଛେଦ କାର୍ଯ୍ୟରେ ଆସିଥିବା ଅଧିକାରୀମାନେ ହିଁ ନିଆଁ ଲଗାଇ ହତ୍ୟା କରିଥିବା ଏତଲା ଦେଇଥିଲେ । ପୀଡିତାଙ୍କ ପିତାଙ୍କ ଏତଲା ଆଧାରରେ ସ୍ଥାନୀୟ ଏସଡିଏମ, ପୋଲିସ ଅଧିକାରୀ, ଉଚ୍ଛେଦରେ ବ୍ୟବହୃତ ଜେସିବି ଡ୍ରାଇଭର ସମେତ ମୋଟ 39 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଯାହାକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: ଉତ୍ତର ପ୍ରଦେଶରେ ଉଚ୍ଛେଦ ବେଳେ ମହିଳା ଓ ଝିଅ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲା ପୀଡିତ ପରିବାର
ସୋମବାର ଉତ୍ତର ପ୍ରଦେଶ କାନପୁର ଦେହାତରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଏପରି ଛାତିଥରା ଘଟଣା ଘଟିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଏକ ଟିମ୍ ବୁଲଡୋଜର ଧରି ଜବରଦଖଲ ଉଚ୍ଛେଦ ପାଇଁ ପହଞ୍ଚିଥିଲା । ବୁଲଡୋଜରରେ ଘର ଭଙ୍ଗା ଯାଉଥିବା ବେଳେ ଏକ କୁଡିଆରେ ନିଆଁ ଲାଗିଯାଇଥିଲା । ଏଥିରେ ଜଣେ ମହିଳା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଥଲେ । ଏହି ଘଟଣା ପାଇଁ ସ୍ଥାନୀୟ SDM, SHOଙ୍କ ସମେତ ଉଚ୍ଛେଦ ପାଇଁ ଆସିଥିବା ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ମୃତ ମହିଳାଙ୍କ ସ୍ବାମୀ । ଉଚ୍ଛେଦ ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ