ଓଡିଶା

odisha

ETV Bharat / bharat

521 ବର୍ଷର ଦୁର୍ଗାପୂଜା: ତନ୍ତ୍ରପୀଠ ଭାବେ ପରିଚିତ ଲକ୍ଷ୍ମଣନାଥ ଗଡ, ନବମୀରେ ହୁଏ କୁମାରୀ ପୂଜା

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ଗଡ଼ରେ ଏଥର ଦୁର୍ଗାପୂଜା 521 ବର୍ଷରେ ପଦାର୍ପଣ କରିଛି । ଏହି ପୀଠକୁ ତନ୍ତ୍ରପୀଠ ବୋଲି କୁହାଯାଉଥିବା ବେଳେ ରାଜକୀୟ ଢଙ୍ଗରେ ମା’ଙ୍କ ଆବାହନ କରାଯାଇଥାଏ । ଅଧିକ ପଢନ୍ତୁ

521 ବର୍ଷର ଦୁର୍ଗାପୂଜା, ତନ୍ତ୍ରପୀଠ ଭାବେ ପରିଚିତ ଲକ୍ଷ୍ମଣନାଥ ଗଡ଼
521 ବର୍ଷର ଦୁର୍ଗାପୂଜା, ତନ୍ତ୍ରପୀଠ ଭାବେ ପରିଚିତ ଲକ୍ଷ୍ମଣନାଥ ଗଡ଼

By

Published : Sep 30, 2022, 10:34 PM IST

ବାଲେଶ୍ବର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା’ ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଧୂମ ଧାମରେ ରାଜ୍ୟବାସୀ ପାଳିବେ ଦୂର୍ଗା ପୂଜା । ମା'ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ଏନେଇ ବେଶ ଚଳଚଞ୍ଚଳ ବାଲେଶ୍ବର ଜିଲ୍ଲା। ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ମା'ଙ୍କ ଷୋଡଶ ଉପଚାର ପୂଜା ଚାଲିଛି। ମହାଳୟା ଠାରୁ ମା' ଦୁର୍ଗାଙ୍କ ନବରାତ୍ର ପୂଜା ଚାଲିଥିବା ବେଳେ ବିଭିନ୍ନ ବେଶରେ ମା' ଦେଉଛନ୍ତି ଦର୍ଶନ।

521 ବର୍ଷର ଦୁର୍ଗାପୂଜା, ତନ୍ତ୍ରପୀଠ ଭାବେ ପରିଚିତ ଲକ୍ଷ୍ମଣନାଥ ଗଡ଼

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ଲକ୍ଷ୍ମଣନାଥ ଗଡ଼ରେ ଏଥର ଦୁର୍ଗାପୂଜା 521 ବର୍ଷରେ ପଦାର୍ପଣ କରିଛି । ଏହି ପୀଠକୁ ତନ୍ତ୍ର ପୀଠ ବୋଲି କୁହାଯାଉଥିବା ବେଳେ ରାଜକୀୟ ଢଙ୍ଗରେ ମା'ଙ୍କ ଆବାହନ କରାଯାଇଥାଏ। ୧୫୦୮ ଖ୍ରୀଷ୍ଟାବ୍ଦରେ ଜଳେଶ୍ଵର ଲକ୍ଷ୍ମଣନାଥ ରାୟ ମହାଶୟଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ସର୍ବପୁରାତନ। ଏହି ପୂଜା ମଣ୍ଡପରେ ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ମା’ଙ୍କ ପୂଜା ଆରାଧନା କରାଯାଇଥାଏ। ଏଥିପାଇଁ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ଲୋକାମୁଖରୁ ଶୁଣିବାକୁ ମିଳେ ବଙ୍ଗର ନବାବ ଜଳେଶ୍ଵରର ସଦର କାନୁନଗୋ ଭାବେ ରାମଚନ୍ଦ୍ର ଘୋଷଙ୍କୁ ନିୟୋଜିତ କରିବା ପରେ ତାଙ୍କ ଦ୍ବାରା ୧୫୦୮ ଖ୍ରୀଷ୍ଟାବ୍ଦରେ ମା'ଙ୍କ ଆବାହନ ଜଳେଶ୍ବରରେ ଆରମ୍ଭ ହୋଇଥିଲା। ଚୈତନ୍ୟ ମହାପ୍ରଭୁ ପୁରୀ ଯିବା ରାସ୍ତାରେ ସଦର କାନୁନଗୋଙ୍କ ଆତିଥ୍ୟ ଗ୍ରହଣ କରିବା ସହ ଗଡ଼ର ଏହି ପୂଜା ମଣ୍ଡପରେ ଆଶ୍ରୟ ନେଇଥିଲେ। ୧୫୫୦ ଖ୍ରୀଷ୍ଟାବ୍ଦରେ ବଙ୍ଗ ନବାବ ସେ ସମୟର ସଦର କାନୁନଗୋଙ୍କୁ ରାୟ ମହାଶୟ ଭାବେ ଘୋଷିତ କରିଥିଲେ। ୧୭୨୦ ମସିହାରେ ରାୟ ମହାଶୟଙ୍କ ବାସସ୍ଥାନ ଜଳେଶ୍ବରରୁ ଲକ୍ଷ୍ମଣନାଥକୁ ସ୍ଥାନାନ୍ତରିତ ହୋଇଥିଲା। ସେହିଦିନ ଠାରୁ ଆଜିଯାଏ ଲକ୍ଷ୍ମଣନାଥ ଗଡ଼ରେ ମାଙ୍କ ପୂଜାର୍ଚ୍ଚନା କରାଯାଉଛି।

ମା'ଙ୍କ ପୂଜାର୍ଚ୍ଚନା ଏଠାରେ ସମ୍ପୂର୍ଣ୍ଣ ଭିନ୍ନ। ଆଦିମ କାଳରୁ ତାଳପତ୍ର ପୋଥିରେ ବର୍ଣ୍ଣନା ହୋଇଥିବା ପ୍ରଥା ଓ ରୀତିନୀତି ଅନୁସାରେ ମା'ଙ୍କୁ ଆବାହନ କରାଯାଇଥାଏ। ମା'ଙ୍କୁ ତନ୍ତ୍ରମନ୍ତ୍ର ମାଧ୍ୟମରେ ବରଣ କରାଯାଇଥାଏ। ଆଜିଯାଏଁ ପ୍ରଥମରୁ ମା'ଙ୍କ ଯେଉଁ ଭଳି ମୃଣ୍ମୟୀ ମୂର୍ତ୍ତି ହେଉଥିଲା ତାହା ଆଜିବି ସେମିତି ତିଆରି ହେଉଛି। ମା'ଙ୍କ ମୂର୍ତ୍ତି ତିଆରି କରୁଥିବା କାରିଗର ତାଙ୍କର ପରପିଢି ଏବେଯାଏଁ ମୂର୍ତ୍ତି ତିଆରି କରୁଛନ୍ତି । ତେବେ ମା'ଙ୍କ ମୂର୍ତ୍ତିର ରଙ୍ଗ ସୁବର୍ଣ୍ଣ ରଙ୍ଗରେ ହୋଇଥିବା ବେଳେ ଉଚ୍ଚତା 17 ଫୁଟ ହିଁ ରହିଥାଏ ।

ତନ୍ତ୍ରପୀଠ ଭାବେ ପରିଚିତ ଏହି ପୀଠରେ ନିଶାପୂଜା ସାଙ୍ଗକୁ ଷଷ୍ଠୀ ଠାରୁ ବେଶ ଧୁମଧାମରେ ପୂଜା ହୋଇଥାଏ । ଆଉ ଏକ ବିଶେଶତ୍ବ ହେଉଛି, ନବମୀ ପୂଜାଦିନ ମା'ଙ୍କ ପାଖରେ କୁମାରୀ ପୂଜା ଅନୁଷ୍ଠିତ ହୁଏ । ଜଣେ ବ୍ରାହ୍ମଣ ପରିବାରର କୁନି ବାଳିକାଙ୍କ ପୂଜା ମା’ଙ୍କ ପାଖରେ କରାଯାଇଥାଏ । ଏହାସହ ଦୁଇଟି ବିରାଟ ଥାଳିରେ ମା’ଙ୍କ ପାଇଁ 3 କ୍ବିଣ୍ଟାଲ ଅରୁଆ ଚାଉଳରେ ଭୋଗ ଲାଗି ହୋଇଥାଏ । 4 ଦିନ ଧରି ମା'ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଦଶମୀ ଦିନ ବିସର୍ଜନ ଦିଆଯିବା ସହ ସେହିଦିନ ହିଁ ମା'ଙ୍କ ମୂର୍ତ୍ତି ପାଣିରେ ବିସର୍ଜନ କରାଯାଇଥାଏ ।

ମା'ଙ୍କ ଏହି ଦୁର୍ଲଭ ପୂଜା ଦେଖିବା ପାଇଁ ଓଡିଶା ତଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏହି 4 ଦିନରେ ପ୍ରାୟ 10 ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ମଣ୍ଡପ ସାମ୍ନାରେ ଥିବା ପଡ଼ିଆରେ ଚାରିଦିନ ମେଳା ଲାଗିଥାଏ । ଯେଉଁଠି ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମିନା ବଜାର, ଦୋକାନ ଆଦିର ପସରା ମେଲିଥାଏ । ରାଜା ରାଜୁଡ଼ା ଅମଳରୁ ଚାଲି ଆସୁଥିବା ଏହି ପୂଜାରେ ସ୍ବତନ୍ତ୍ରତା ଓ ମାହାତ୍ମ୍ୟ ଢେର ଅଧିକ ରହିଥିବା ବେଳେ ଏଠାକାର ସ୍ଥାନୀୟ ଲୋକମାନେ ମା'ଙ୍କ ଆଗମନକୁ ବର୍ଷସାରା ଅନେଇ ବସିଥାନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details