ଜୟପୁର:ରାଜସ୍ଥାନ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ପ୍ରାରମ୍ଭିକ ଫଳ । ରାଜ୍ୟରେ ଲିଡ୍ କରୁଛି ଭାରତୀୟ ଜନତା ପାର୍ଟି । ଏହାରି ମଧ୍ୟରେ ରାଜ୍ୟରେ ନବ ଗଠିତ ଡୁଡୁ ଜିଲ୍ଲାର ଡୁଡୁ ବିଧାନସଭା ଆସନରେ ଫୁଟିଛି କମଳ । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘନିଷ୍ଠ ତଥା ପୂର୍ବତନ ମନ୍ତ୍ରୀ ବାବୁଲାଲ ନଗରଙ୍କୁ ମାତ୍ ଦେଇଛନ୍ତି ବିଜେପି ପ୍ରାର୍ଥୀ ପ୍ରେମଚନ୍ଦ୍ର ବୈରବା ।
ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଡୁଡୁ ବିଧାନସଭା ଆସନରେ 14 ଟେବୁଲରେ 20 ରାଉଣ୍ଡ ଭୋଟ ଗଣନା ହୋଇଥିଲା । ଏହି ଆସନଟି କଂଗ୍ରେସର ଗଡ଼ ବୋଲି କୁହାଯାଏ । କଂଗ୍ରେସ ଏହି ଆସନରେ ପଞ୍ଚମ ଥର ଲାଗି ହେବିୱେଟ ନେତା ବାବୁଲାଲ ନଗରଙ୍କୁ ଟିକେଟ୍ ଦେଇଥିଲା । ଏହାପୂର୍ବରୁ କଂଗ୍ରେସର ଅଶୋକ ଗେହଲଟ ସରକାର ଡୁଡୁକୁ ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ଗଠନ କରି ଏଠାକାର ବାସିନ୍ଦାଙ୍କୁ ପାର୍ଟି ଆଡକୁ ଆକର୍ଷିତ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସବୁ ପ୍ରଚେଷ୍ଟା ଏଠାରେ ବିଫଳ ହୋଇଛି । ବିଜେପି ଏହି ଆସନରେ ପ୍ରଥମ ବିଜୟ ସହିତ ଡୁଡୁକୁ ନିଜ କବଜାକୁ ନେଇଛି ।
ଏହା ବି ପଢନ୍ତୁ- ଯାଦୁଗରଙ୍କ ଯାଦୁରୁ ମୁକ୍ତି ପାଇଲେ ରାଜସ୍ଥାନ ଜନତା: ଗଜେନ୍ଦ୍ର ସିଂ8
2018ରେ ବି ଉଭୟ ହୋଇଥିଲେ ମୁହାଁମୁହିଁ:-ରାଜସ୍ଥାନର ନବ ଗଠିତ ଡୁଡୁ ଜିଲ୍ଲାରେ ଏହା ହେଉଛି ପ୍ରଥମ ନିର୍ବାଚନ । ଏହି ଆସନରେ କଂଗ୍ରେସ ନିଜର ବର୍ତ୍ତମାନର ବିଧାୟକ ବାବୁଲାଲ ନଗରଙ୍କ ଉପରେ ଭରସା ଦେଖାଇ ଟିକେଟ୍ ଦେଇଥିଲା । କାରଣ ବାବୁଲାଲ ଏହି ଆସନରୁ 4ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସେ ପଞ୍ଚମ ଥର ଲାଗି ମୈଦାନକୁ ଓହ୍ଲାଇଥିଲେ । କିନ୍ତୁ ବିଜେପି ପ୍ରାର୍ଥୀ ପ୍ରେମଚନ୍ଦ ବୈରବା ତାଙ୍କୁ ମାତ୍ ଦେଇଛନ୍ତି ।
ଏହା ବି ପଢନ୍ତୁ- ହିଷ୍ଟ୍ରି କ୍ରିଏଟ... ସଂଧ୍ୟାରେ ପାର୍ଟି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦି
ସୂଚନା ଥାଉ କି ଡୁଡୁ ବିଧାନସଭା ଆସନରେ ପୂର୍ବରୁ 9ଟି ନିର୍ବାଚନରେ କଂଗ୍ରେସ 7ଥର ବିଜୟ ହାସଲ କରିଥିବା ବେଳେ ବିଜେପିକୁ ମାତ୍ର 2ଥର ବିଜୟ ମିଳିଥିଲା । କିନ୍ତୁ ଚଳିତ ନିର୍ବାଚନରେ ଏଠାରେ ଟଳମଳ ହୋଇଛି ହାତ ଓ ଫୁଟିଛି କମଳ । ବିଜେପିକୁ ଡୁଡୁ ବିଧାନସଭା ଆସନରେ ସଞ୍ଜିବନି ମିଳିଛି । ସେପଟେ ବିଧାୟକ ବାବୁଲାଲ ନାଗର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘନିଷ୍ଠ ଭାବେ ବେଶ ପରିଚିତ । 2018 ବିଧାନସଭା ନିର୍ବାଚନ ସମୟରେ ବାବୁଲାଲ ନାଗର ଓ ବିଜେପି ପ୍ରାର୍ଥୀ ପ୍ରେମଚନ୍ଦ ବୈରବା ମୁହାଁମୁହିଁ ହୋଇଥିଲେ । ହେଲେ ସେତେବେଳେ ପ୍ରେମଚନ୍ଦଙ୍କୁ ମାତ୍ ଦେଇଥିଲେ ବାବୁଲାଲ । କିନ୍ତୁ ଚଳିତ ନିର୍ବାଚନରେ ପଲଟି ଯାଇଛି ବାଜି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ