ମୁମ୍ବାଇ: ହାଇଦ୍ରାବାଦରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇରେ ଅବତରଣ କରିଛି । ଗତକାଲି ସନ୍ଧ୍ୟା ସମୟରେ ବିମାନଟି ଦୁବାଇ ଅଭିମୁଖେ ଉଡାଣ ଭରିଥିଲା । ମାତ୍ର ଅଧା ବାଟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିବାରୁ ଏହାକୁ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରାଯାଇଛି(Dubai bound Air India flight diverted to Mumbai) । ଏହି ବିମାନରେ ମୋଟ ୧୪୩ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ୭ଟା ୪୫ ମିନିଟରେ ଏୟାର ଇଣ୍ଡିଆର AI951 ବିମାନ ହାଇଦ୍ରାବାଦ ବିମାନ ବନ୍ଦରରୁ ୧୪୩ ଯାତ୍ରୀଙ୍କୁ ନେଇ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା । ଅଧା ବାଟରେ ବିମାନର ତିନୋଟି ହାଇଡ୍ରୋଲିକ ସିଷ୍ଟମରେ ତ୍ରୁଟି ଥିବାର ଜଣାପଡିଥିଲା । ଏହାପରେ ପାଇଲଟ ମୁମ୍ବାଇ ଏୟାରପୋର୍ଟରେ ବିମାନକୁ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ଖବର ମିଳିବା ପରେ ଏୟାରପୋର୍ଟରେ ପୂର୍ଣ୍ଣ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା । ଜରୁରୀ କାଳୀନ ଟିମ୍ ମଧ୍ୟ ପ୍ରସ୍ତୁତ ରହିଥିଲେ । ଏହାପରେ ସୁରକ୍ଷିତ ଭାବେ ବିମାନ ଅବତରଣ କରିଥିଲା ।