ଲକ୍ଷ୍ନୌ:ବିମାନ ପରେ ଏବେ ଟ୍ରେନରେ ମଧ୍ୟ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଦେଖିବାକୁ ମିଳିଛି । କେହି ଯାତ୍ରୀ ନୁହନ୍ତି ବରଂ ଚଳନ୍ତା ଟ୍ରେନରେ ଜଣେ ଟିକେଟ ନିରୀକ୍ଷକ (TTE) ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଛି । ଲକ୍ଷ୍ନୌରେ ଗତକାଲି ରାତିରେ ଅକଲ ତକ୍ତ ଏକ୍ସପ୍ରେସ (Akal Takht Express) ରେ ଏହି ଘଟଣା ଘଟିଛି । ଟିଟିଇଜଣଙ୍କ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟାଇଥିବା ଜଣାପଡିଛି । ରେଳବାଇ ଥାନାରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଟିଟିଇଙ୍କୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ କୋଲକାତାରୁ ଅମୃତସର ଯାଉଥିବା ଅକଲ ତକ୍ତ ଏକ୍ସପ୍ରେସର ଏ-1 କୋଚରେ ଏହି ମହିଳା ଯାତ୍ରୀଜଣଙ୍କ ପରିବାର ସଦସ୍ୟଙ୍କ ସହ ଯାତ୍ରା କରୁଥିଲେ । ମଧ୍ୟରାତ୍ରିରେ ସେ ଶୋଇଥିବା ବେଳେ କେହି ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡ ଉପରେ ପରିସ୍ରା କରିଦେଇଥିଲେ । ସେ ଏହା ଦେଖି ପାଟି କରିବା ପରେ ଲୋକେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ । ବ୍ୟକ୍ତିଜଣଙ୍କ ରେଳବାଇରେ କାର୍ଯ୍ୟରତ ଜଣେ ଟିଟିଇ ଓ ମଦ୍ୟପାନ କରି ନିଶାସକ୍ତ ଥିବା ଜଣାପଡିଥିଲା । ଅନ୍ୟ ଯାତ୍ରୀମାନେ ସମ୍ପୃକ୍ତ ଟିଟିଇଙ୍କୁ କାବୁ କରି ରେଳବାଇ ପୋଲିସ ଓ ଆରପିଏଫକୁ ସୂଚନା ଦେଇଥିଲେ । ପୋଲିସ ଟିମ ପହଞ୍ଚି ସମ୍ପୃକ୍ତ ଟିଟିଇକୁ କବଜାକୁ ନେଇଥିଲା ।