ନୂଆଦିଲ୍ଲୀ:କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ରାଜ୍ୟପାଳଙ୍କ କନଭୟ ଉପରେ ମାଡିଗଲା ଦ୍ରୁତଗାମୀ କାର୍ । ରାଜ୍ୟପାଳ ଆରିଫ ମହମ୍ମଦ ଗତକାଲି(ଶନିବାର) ନୋଏଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ ସୁରକ୍ଷାରେ ଏହି ତ୍ରୁଟି ଦେଖାଯାଇଛି । ଦ୍ରୁତଗତିରେ ଆସୁଥିବା ଏକ କାର୍ ତାଙ୍କର କନଭୟକୁ ଧକ୍କା ଦେଇଥିଲା । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଘଟଣାରେ ଉତ୍ତର ପ୍ରଦେଶ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଏତଲା ରୁଜୁ କରିଛି ।
ପୋଲିସର ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ଅତ୍ୟଧିକ ମଦ୍ୟପାନ କରିଥିଲେ । ନିଶାସକ୍ତ ଅବସ୍ଥାରେ ରାଜ୍ୟପାଳଙ୍କ କନଭୟକୁ ଧକ୍କା ଦେଇଥିଲେ । ଦୁଇ ଅଭିଯୁକ୍ତ ହେଲେ ଗାଜିଆବାଦ ନିବାସୀ ଗୌରବ ସୋଲାଙ୍କି ଓ ମନୁ କମାର । ପୋଲିସ ଦୁର୍ଘଟଣା ଘଟାଇଥିବା କଳା ରଙ୍ଗର ସ୍କର୍ପିଓ କାରକୁ ମଧ୍ୟ ଜବତ କରିଛି । ଗତକାଲି ନୋଏଡା ସେକ୍ଟର ୭୭ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଆରିଫ ମହମ୍ମଦ ଦିଲ୍ଲୀ ଫେରୁଥିଲେ । ବାଟରେ ବିଳମ୍ବିତ ରାତି ପ୍ରାୟ ୧୦ଟା ୪୫ ମିନିଟରେ ତାଙ୍କର କନଭୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ଦ୍ରୁତଗାମୀ ସ୍କର୍ପିଓ କନଭୟ ଉପରକୁ ମାଡି ଯାଇଥିଲା । ଗାଡିଟି ଦୁଇଥର କନଭୟକୁ ଧକ୍କା ଦେଇଥିଲା ।