ନୂଆଦିଲ୍ଲୀ:ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । କ୍ଲାସ ମନିଟରରୁ ସୁପ୍ରିମୋ କମାଣ୍ଡର ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ଗର୍ବିତ ପ୍ରତିଟି ଓଡିଆ । ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସର୍ବକନିଷ୍ଠ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ସଂସଦର କେନ୍ଦ୍ରୀୟ ହଲରେ ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣି ଜୟ ଜଗନ୍ନାଥ ଉଚ୍ଚାରଣରେ କମ୍ପି ଉଠିଥିଲା ସଂସଦ ଭବନର ସେଣ୍ଟ୍ରାଲ ହଲ । ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା । ସମୟ ୧୦ଟା 14ରେ ଦ୍ରୌପଦୀ ମୁର୍ମୁ ଶପଥ ନେବା ପରେ ଓଡ଼ିଶା ଓ ଦେଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ସେ ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି । ଜଣେ ଓଡ଼ିଆ ଝିଅର ଏପରି ସଫଳତା ପାଇଁ ରାଜଧାନୀରୁ ରାଇରଙ୍ଗପୁର ଯାଏଁ ଉତ୍ସବର ମାହୋଲ । ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ସମସ୍ତେ ଗର୍ବ ଅନୁଭବ କରୁଛନ୍ତି ।
ଶପଥ ଗ୍ରହଣ ସମାରୋହ ପୂର୍ବରୁ ଦୀକ୍ଷିତ ଲେନରେ ଥିବା ଅସ୍ଥାୟୀ ବାସଭବନରୁ ବାହାରି ପ୍ରଥମେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତି ଭବନ ଯାଇ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଭେଟିଥିଲେ । ସେଠାରୁ ସଂସଦ ଭବନ ଅଭିମୁଖେ ବାହାରିଥିଲେ । ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରୀୟ ସଲାମୀ ଦିଆଯାଇଥିଲା । ସଲାମୀ ପରେ ଉଭୟ ଗାଡ଼ିରେ ଅଶ୍ୱ ଅଙ୍ଗ ରକ୍ଷକଙ୍କ ସହ ସଂସଦର ସେଣ୍ଟ୍ରାଲ ହଲରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।