ଚଣ୍ଡିଗଡ: ଗତକାଲିସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳନରେ ବ୍ୟସ୍ତ ଥିବା ବେଳେ ଗୁପ୍ତଚରଗିରୀ କରିବା ଭୁଲି ନାହିଁ ପାରମ୍ପାରିକ ଶତୃ ପାକିସ୍ତାନ । ସୀମାନ୍ତ ରାଜ୍ୟ ପଞ୍ଜାବର ଅମୃତସର ନିକଟବର୍ତ୍ତୀ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଏକ ଗ୍ରାମରେ ପ୍ରାୟ ୩ ଥର ଦୃଶ୍ୟମାନ ହୋଇଛି ଏକ ସନ୍ଦିଗ୍ଧ ଡ୍ରୋନ । ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳ ଘଟଣାର ତଦନ୍ତ ଜାରି ରଖିଥିଲେ ସୁଦ୍ଧା ଡ୍ରୋନକୁ ଠାବ କରି ପାରିନାହାନ୍ତି ।
ଘଟଣା ନେଇ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ ରୁ ୧୨ ଟା ମଧ୍ୟରେ ପ୍ରାୟ ୩ ଥର ଏହି ସନ୍ଦିଗ୍ଧ ଡ୍ରୋନଟି ଗ୍ରାମ ନିକଟରେ ଦୃଶ୍ୟମାନ ହୋଇଥିଲା । କିଛି ସମୟ ବ୍ୟବଧାନରେ ପ୍ରାୟ ୩ ଥର ଦେଖାଯିବା ପରେ ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ସହ ବିଏସଏଫ ଅଧିକାରୀ ଗ୍ରାମରେ ପହଞ୍ଚିଥିଲେ । ପରେ ଡ୍ରୋନଟି ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।