ଓଡିଶା

odisha

By ETV Bharat Odisha Team

Published : Dec 22, 2023, 7:40 PM IST

ETV Bharat / bharat

ବିଜାପୁରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ, IED ବିସ୍ଫୋରଣରେ ଯବାନ ଆହତ

DRG Jawan Injured In IED blast: ଛତିଶଗଡ଼ରେ ପୁଣି ମାତିଲେ ନକ୍ସଲ । IED ବିସ୍ଫୋରଣରେ ଯବାନ ଆହତ । ଅଧିକ ପଢନ୍ତୁ

DRG Jawan Injured In IED blast in bijapur
DRG Jawan Injured In IED blast in bijapur

ରାୟପୁର: ଛତିଶଗଡ଼ରେ ପୁଣି ନିଜର ସ୍ଥିତି ଜାହିର କଲେ ନକ୍ସଲ । ନିର୍ବାଚନ ପରେ ରାଜ୍ୟରେ ଲଗାତାର ଭାବେ ନକ୍ସଲ ଆକ୍ରମଣ ଜାରି ରହିଥିବା ବେଳେ ଆଜି (ଶୁକ୍ରବାର) ପୁଣି ବିଜାପୁରରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିବା ବେଳେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଏହାପରେ ଆହତ ଯବାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ଜଣେ ସୁରକ୍ଷାକର୍ମୀ କହିଛନ୍ତି, "ଜାଙ୍ଗଲା ପୋଲିସ ଥାନା ଅଧୀନସ୍ଥ ପୋଟେନାର ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଆଇଇଡି ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଗୁରୁତର ଆହତ ହୋଇଛନ୍ତି । ଏହି ଯବାନଙ୍କ ନାମ ସୁରେଶ ମିଚ୍ଚା ବୋଲି ଜଣାପଡ଼ିଛି । ଆହତ ଯବାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଜାଙ୍ଗଲା ପୋଟେନାର ଗାଁ ନିକଟରେ ସୁରକ୍ଷାକର୍ମୀଙ୍କ ଛାନଭିନ ଜାରି ରହିଛି ।"

ଏହା ବି ପଢନ୍ତୁ- ନକ୍ସଲ ସହ ଗୁଳି ବିନିମୟରେ ଯବାନ ଶହୀଦ, ଜଣେ ଗୁରୁତର

ବିଜାପୁର ଓ ଭୈରମଗଡ଼ରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା । ଗୁଇନ୍ଦା ସୂତ୍ରରୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ଡିଆରଜି ଓ ବସ୍ତର ଫାଇଟର୍ସ ଟିମ ଏଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରଥିଲା । ସୁରକ୍ଷାକର୍ମୀମାନେ ଯେତେବେଳେ ଏହି ଅଞ୍ଚଳକୁ ଘେରି ଯାଇଥିଲେ, ସେତେବେଳେ ନକ୍ସଲମାନେ ଗୁଳିମାଡ଼ କରିଥିଲେ । ଏହି ଫାୟାରିଂ ଜାରି ଥିବା ବେଳେ ଅଜାଣତରେ ଡିଆରଜି ଯବାନ ସୁରେଶ ମିଚ୍ଚା ଆଇଇଡି ବୋମା ଉପରେ ଚଢି ଯାଇଥିଲେ । ଏହାପରେ ବୋମା ବିସ୍ଫୋରଣ ଘଟିଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି ।

ସୂଚନା ଥାଉ କି ନକ୍ସଲମାନେ ଡିସେମ୍ବର ୨୨ ଅର୍ଥାତ ଆଜି ଭାରତ ବନ୍ଦ ଡାକରା ଦେଇଥିଲେ । ଏହାର ପ୍ରଭାବ ବସ୍ତର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳରେ ପରିବହନ ସେବା ବନ୍ଦ ରହିଥିଲା । ବସ୍ତରର ଜଙ୍ଗଲ ଅଞ୍ଚଳରେ ମଧ୍ୟ ଦୋକାନ ବଜାର ବନ୍ଦ ରହିଥିଲା । ଗତ କିିଛି ଦିନ ଧରି ଛତିଶଗଡ଼ରେ ମାଓ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଖବର ଲଗାତାର ଆସୁଛି । ଗତ ଡିସେମ୍ବର ୧୭ ତାରିଖରେ ସୁକମାରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details