ଲକ୍ଷ୍ନୌ:ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବହୁଜନ ସମାଜବାଦୀ ପାର୍ଟି(BSP) ପ୍ରତିନିଧି ଭେଟିବାର ମାତ୍ର କିଛି ସମୟ ପରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଅଖିଳେଶଙ୍କ ଦଳ ସମାଜବାଦୀ ପାର୍ଟି ପକ୍ଷରୁ ସେ ରାଷ୍ଟ୍ରପତି ହେବା ନେଇ ଆଗ୍ରହୀ ଥିବା ଗୁଜବ ସୃଷ୍ଟି କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାୟାବତୀ । ରାଷ୍ଟ୍ରପତି ହେବାକୁ ଚାହାନ୍ତି ନାହିଁ ବରଂ ପୁଣି ଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି କହିଛନ୍ତି ମାୟାବତୀ ।
ଗୁରୁବାର ମାୟାବତୀଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ତଥା ବହୁଜନ ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ ଏସ. ସି ମିଶ୍ରା ଓ ବିଧାୟକ ଉମା ଶଙ୍କର ସିଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ମାୟାବତୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାପାଇଁ ଆଗ୍ରହୀ ଥିବା ଖବର ଚର୍ଚ୍ଚା ପରିସରକୁ ଆସିଥିଲା । ତେବେ ଏହି ସାକ୍ଷାତ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ନିର୍ମିତ କିଛି ସ୍ମାରକୀର ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ହୋଇଥିବା ମାୟାବତୀ ପ୍ରକାଶ କରିଛନ୍ତି ।