ନୂଆଦିଲ୍ଲୀ:ପ୍ରତିରକ୍ଷା ସୂଚନା ଗୁପ୍ତଚରଗିରି କରିବା ଅଭିଯୋଗରେ ଫ୍ରିଲାନ୍ସ ସାମ୍ବାଦିକଙ୍କ ବିରୋଧରେ ମାମଲା ଦାଏର କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଖବର ସଂଗ୍ରହ ଆଳରେ ଭାରତୀୟ ସେନା ଓ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ଠାରୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ବିଦେଶୀ ଗୁଇନ୍ଦା ସଂସ୍ଥାକୁ ପଠାଇଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ରୀୟ ସଂସ୍ଥା । ଫ୍ରିଲାନ୍ସ ସାମ୍ବାଦିକ ବିବେକ ରଘୁବଂଶୀ ଓ ଅନ୍ୟ କିଛି ଏହି ସଙ୍ଗୀନ ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ପରିସରକୁ ଆସିଛନ୍ତି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିବେକ ରଘୁବଂଶୀଙ୍କ ବିରୋଧରେ ଆଫିିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରଘୁବଂଶୀ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସେନା ଓ ଡିଆରଡିଓ ଠାରୁ ସଂଗ୍ରହ କରିଛନ୍ତି ଓ ଏକାଧିକ ବିଦେଶୀ ଗୁଇନ୍ଦା ସଂସ୍ଥାକୁ ରପ୍ତାନୀ କରିଥିବା ସିବିଆଇ ଅଭିଯୋଗ କରିଛି । ଏହି ଘଟଣାରେ ସିବିଆଇ 12ଟି ସ୍ଥାନରେ ଚଢାଉ ମଧ୍ୟ କରିଛି । ରାଜସ୍ଥାନ ରାଜଧାନୀ ଜୟପୁର, ଦିଲ୍ଲୀ ଓ ଏନସିଆରର ପ୍ରାୟ 12 ଟି ଭିନ୍ନ ଭିନ୍ନ ସ୍ଥାନରେ ସିବିଆଇ ଟିମ ଚଢାଉ କରି ତଥ୍ୟ ସଂଗ୍ରହ କରିଛି । ପ୍ରତିରକ୍ଷା ତଥ୍ୟ ସମ୍ପର୍କିତ କିଛି ସମ୍ବେଦନଶୀଳ କାଗଜପତ୍ର ତଦନ୍ତକାରୀ ସଂସ୍ଥାର ହାତରେ ଲାଗିଥିବା ମଧ୍ୟ ସୂଚନା ମିଳିଛି । ହେଲେ ଚଢାଉ ସମ୍ପର୍କରେ ସିବିଆଇ କିଛି ସୂଚନା ଦେଇନାହିଁ ।