କିଭ:ୟୁକ୍ରେନରେ ଏବେବି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଋଷ । ପୂର୍ବ-ୟୁକ୍ରେନୀୟ ସହର ଡୋନବାଜରେ ଏକ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇଥିବାବେଳେ ଏହା ଉପରେ ଋଷ ଫୋର୍ସ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏହି ଆଶ୍ରୟସ୍ଥଳୀରେ ପ୍ରାୟ 90ଜଣ ସାଧାରଣ ନାଗରିକ ଆଶ୍ରୟ ନେଇଥିବାବେଳେ 60ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା 2ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହେବା ସହ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ଅନ୍ୟ 30ଜଣଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି । କିନ୍ତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଡୋନବାଜ ଲୁହାନସ୍କ ପ୍ରଦେଶର ରାଜ୍ୟପାଳ ।
ଆକ୍ରମଣରେ ସ୍କୁଲ ଅଟ୍ଟାଳିକାଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏବେ ମଧ୍ୟ ଧ୍ବଂସାବଶେଷ ତଳେ ଅନେକ ମୃତଦେହ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ମୃତାହତଙ୍କ ସଂଖ୍ୟା ପ୍ରାୟ 60 ହେବା ନେଇ ମଧ୍ୟ ପ୍ରାଥମିକ ଭାବେ ଆକଳନ କରାଯାଉଛି । ମସ୍କୋ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ 2014 ମସିହାରୁ ପୂର୍ବ-ୟୁକ୍ରେନୀୟ ରାଜ୍ୟ ଡୋନବାଜକୁ ସ୍ବତନ୍ତ୍ର ଦେଶ ଭାବେ ମାନ୍ୟତା ଦେବା ପାଇଁ ବିଦ୍ରୋହ କରି ଆସୁଛନ୍ତି । ଋଷ ମଧ୍ୟ ଏବେ ଉକ୍ତ ଅଞ୍ଚଳ ଦଖଲ କରିସାରିଥିବା ଦାବି କରିବା ସହ ଆକ୍ରମଣକୁ ତୀବ୍ର କରିଛି ।