ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ୬୦ ଲକ୍ଷରୁ ଉର୍ଧ୍ବ ଲୋକମାନେ ଯାତ୍ରା କରିଥାନ୍ତି । ପ୍ରତ୍ୟେକ ଦିନ ମେଟ୍ରୋରେ ଚୋରି ଅଭିଯୋଗ ବଢିବାରେ ଲାଗିଛି । ଚୋରି ମାମଲାକୁ ନେଇ ପୋଲିସ କହିଛି ଯେ ଚଳିତ ବର୍ଷ ଡିସେମ୍ବର ୧୮ ତାରିଖ ଯାଏଁ ୭୭ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ପୂର୍ବ ବର୍ଷ ଏହି ସଂଖ୍ୟା ୩୮ ଥିଲା । ଯାହା ମେଟ୍ରୋରେ ମହିଳା ଚୋରଙ୍କ ସଂଖ୍ୟାରେ ଦୈନନ୍ଦିନ ବୃଦ୍ଧିକୁ ଦର୍ଶାଉଛି । ମେଟ୍ରୋରେ ମହିଳା ମାନେ ଗ୍ୟାଙ୍ଗ ବନେଇ ଯାତ୍ରୀ ମାନଙ୍କ ଠାରୁ ଚୋରି କରୁଛନ୍ତି । ଯାତ୍ରୀ ମାନଙ୍କ ମୋବାଇଲ , ଗହଣା , କ୍ୟାସ ଏବଂ ଅନ୍ୟ ଜିନିଷ ପତ୍ରକୁ ସେମାନେ ସାଧାରଣତଃ ଟାର୍ଗେଟ କରିଥାନ୍ତି ।
ଦିଲ୍ଲୀ ପୋଲିସର ଅଧିକାରୀଙ୍କ ମୁତାବକ ଚଳିତ ବର୍ଷ ମେଟ୍ରୋ ମଧ୍ୟରେ ୪୬୦୦ ରୁ ଉର୍ଧ୍ବ ମାମଲା ଦର୍ଜ ହୋଇଛି । ସେହିପରି ଗତ ବର୍ଷ ୨୭୦୦ ରୁ ଅଧିକ ଚୋରି ମାମଲା ରୁଜୁ ହୋଇ ଥିଲା । ସିସିଟିଭି ଫୁଟେଜ ଏବଂ ସର୍ଭିଲାନ୍ସ ଦ୍ବାରା ଏହି ମହିଳା ଚୋର ମାନଙ୍କୁ ଧରାଯାଇଛି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ଏହି ମହିଳା ଗ୍ୟାଙ୍ଗର ସଦସ୍ୟ ମାନେ ସାଧାରଣ ଯାତ୍ରୀ ମାନଙ୍କ ଭଳି ଟ୍ରେନରେ ଚଢିଥାନ୍ତି । ଏହି ମହିଳା ମାନେ ପ୍ରଥମେ କେଉଁଠି କେଉଁ ଯାତ୍ରୀଙ୍କ ଠାରୁ କଣ ଚୋରି କରି ପାରିବେ ତାହା ଭଲ ଭାବେ ନିରୀକ୍ଷଣ କରିଥାନ୍ତି । ଏହା ପରେ ଉକ୍ତ ଯାତ୍ରୀକୁ ଗ୍ୟାଙ୍ଗର ସଦସ୍ୟ ମାନେ ଘେରି ଯାଇ କୃତ୍ରିମ ଭିଡ ସୃଷ୍ଟି କରିଥାନ୍ତି ଏବଂ ଏହାର ସୁଯୋଗ ନେଇ ମୂଲ୍ୟବାନ ଜିନିଷକୁ ଚୋରି କରି ଘଟଣା ସ୍ଥଳରୁ ଫେରାର ହେଇଯାନ୍ତି ।
ଏହା ମଧ୍ୟ ପଢନ୍ତୁ ...ଡକାୟତଙ୍କୁ ଧରାଇଲା ସନ୍ଧାନୀ କୁକୁର, 6 ଗିରଫ, ଲୁଟ୍ ସାମଗ୍ରୀ ଉଦ୍ଧାର
ଅଧିକ ତଦନ୍ତ କରିବା ପରେ ପୋଲିସ ଜାଣିବାକୁ ପାଇ ଥିଲା ଯେ ଏହି ଲୁଟେରା ଗ୍ୟାଙ୍ଗ ମେଟ୍ରୋରେ ଚଢିବା ଏବଂ ଓହ୍ଲାଇବା ସମୟରେ ଚୋରି କରିଥାନ୍ତି । ଏହି ଲୁଟେରା ଗ୍ୟାଙ୍ଗ ସଦସ୍ୟ ମାନେ ଭିଡ ଥିବା ଷ୍ଟେସନ ରେ ନିଜ କାରନାମା ଚୂଡାନ୍ତ ରୂପ ଦେଇଥାନ୍ତି । ସକାଳ ଓ ସନ୍ଧ୍ୟା ସମୟର ପିକ ଆୱାରରେ ସେମାନେ ଏହି କାମକୁ ଅଞ୍ଜାମ ଦେଇଥାନ୍ତି । ଏଥି ପାଇଁ ସବୁଠୁ ଅଧିକ ଚୋରି ହେଉଥିବା ଷ୍ଟେସନରେ ସାଧା ପୋଷାକରେ ପୋଲିସ ପଇଁତରା ମାରୁଛି । ଏହା ସହ ଏହି ଲୁଟେରା ମହିଳା ମାନଙ୍କ ଫଟୋକୁ ମେଟ୍ରୋ ଷ୍ଟାଫ ମାନଙ୍କ ଅବଗତି ନିମନ୍ତେ ଦିଆଯାଇଛି ।