ମୁମ୍ବାଇ: କିଛି ଦିନ ହେବ ଲାଉଡସ୍ପିକର ବିବାଦକୁ ନେଇ ହୁଲୁସ୍ତୁଲ ହେଉଛି ଦେଶ । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟଙ୍କ କଡା ଚେତାବନୀ ପରେ ବିଭିନ୍ନ ଧର୍ମାନୁଷ୍ଠାନରୁ ଲାଉଡସ୍ପିକରଗୁଡିକୁ ହଟାଇ ଦିଆଯାଇଛି । ଫଳରେ ଏବେ ବିନା ଲାଉଡସ୍ପିକରରେ ମସଜିଦରେ ଅଜାନ ଏବଂ ମନ୍ଦିରରେ ଆଳତୀ ହେଉଛି ।
ଇତିହାସରେ ପ୍ରଥମ ଥର ପାଇଁ ସିରିଡି ସ୍ଥିତି ସାଇବାବାଙ୍କ(Shirdi Sai Temple) ମନ୍ଦିରରେ ମଧ୍ୟ ଲାଉଡସ୍ପିକର ବିନା କକଡ ଆରତୀ ସମ୍ପନ୍ନ ହୋଇଛି । ଯାହା ସେଠାକାର ମୁସଲିମ ସମ୍ପ୍ରଦାୟଙ୍କ ହୃଦୟକୁ ଖୁବ୍ ଆଘାତ ପହଞ୍ଚାଇଛି । ମହାରାଷ୍ଟ୍ରରେ ଏବେ ଅଜାନ ବନାମ ହନୁମାନ ଚାଳିଶା ବିବାଦ ଉଗ୍ର ରୂପ ନେଇଥିବା ବେଳେ ସାଇବାବାଙ୍କ ମନ୍ଦିରରେ ଲାଉଡସ୍ପିକର ହଟାଯିବାକୁ ନେଇ ପ୍ରତିବାଦ କରିଛନ୍ତି ମୁସଲିମ ସମ୍ପ୍ରଦାୟ । ମନ୍ଦିରରେ ଏହାର ବ୍ୟବହାର ବନ୍ଦ କରାନଯାଉ ବୋଲି ସେମାନେ ଦାବି କରିଛନ୍ତି ।
ସିରିଡି ସଂସ୍ଥାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(Chief Executive Officer of Shirdi Sansthan) କହିଛନ୍ତି, ''ମନ୍ଦିରରୁ ଲାଉଡସ୍ପିକର ହଟାଇବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଆମକୁ ଏକ ଚିଠି ଆସିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଙ୍ଘନ ନ କରିବାକୁ ଚିଠିରେ ଉଲ୍ଲେଖ ଥିଲା । ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ସାଇବାବାଙ୍କ ଆଳତୀ ଏବଂ ପୂଜା ସମୟରେ ଲାଉଡସ୍ପିକରର ବ୍ୟବହାର ହୋଇନଥିଲା । କିନ୍ତୁ ମନ୍ଦିରରେ ଲାଉଡସ୍ପିକର ବନ୍ଦ ନ କରାନଯାଉ ବୋଲି ଜାମା ମସଜିଦ ଟ୍ରଷ୍ଟ ଏବଂ ମୁସଲିମ ସମ୍ପ୍ରଦାୟ ଦାବି କରିଛନ୍ତି । ଏ ସଂକ୍ରାନ୍ତୀୟ ଏକ ବିବୃତ୍ତି ମଧ୍ୟ ସେମାନେ ଜାରି କରିଛନ୍ତି ।''