ନୂଆଦିଲ୍ଲୀ:ମୁମ୍ବାଇ ସିରିଜ ବିସ୍ଫୋରଣର ଦୋଷୀ ତଥା ଗ୍ୟାଙ୍ଗଷ୍ଟାର ଆବୁ ସଲିମର ଦଣ୍ଡାଦେଶ 25ବର୍ଷରୁ ଉର୍ଦ୍ଧ୍ବ ହେବା ନେଇ ହୋଇଥିବା ଆବଦନର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ କୋର୍ଟ । ନ୍ୟାୟପାଳିକାକୁ ସରକାର କାର୍ଯ୍ୟ କରିବା ନ ଶିଖାନ୍ତୁ ବୋଲି କଡା ଭାଷାରେ ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି । ଆବୁ ସଲିମ ଦ୍ବାରା କରାଯାଇଥିବା ଆବେଦନ ଅବୈଧ ବୋଲି ଦର୍ଶାଇବା ସହ ସଠିକ ସମୟରେ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । କେନ୍ଦ୍ରର ଏପରି ଉତ୍ତରକୁ ନେଇ ସର୍ବୋଚ୍ଚ କୋର୍ଟ କ୍ଷୁବ୍ଧ ହୋଇଛନ୍ତି ।
ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ଜଷ୍ଟିସ ଏସ.କେ କୌଲ କହିଛନ୍ତି, ନ୍ୟାୟପାଳିକାକୁ କାର୍ଯ୍ୟ କରିବାର ତରିକା ଶିଖାଇବାର ଆବଶ୍ୟକାତା ନାହିଁ । ଗୃହ ସଚିବ ସର୍ବୋଚ୍ଚ ନ୍ୟାୟାଳରେ ଏପରି ଉତ୍ତର ରଖିବା ପାଇଁ ଆଦୌ ଅଧିକୃତ ନୁହନ୍ତି । ଆଫିଡିଭିଟିରେ କେନ୍ଦ୍ର ଉଲ୍ଲେଖ କରିଥିବା ଶବ୍ଦ ମଧ୍ୟ କୋର୍ଟଙ୍କ ଦ୍ବାରା ଗ୍ରହଣଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ ।
1993 ମୁମ୍ବାଇ ସିିରିଜ ବିସ୍ଫୋରଣ ଅଭିଯୁକ୍ତ ଥିବା ଆବୁ ସଲିମକୁ ସର୍ତ୍ତମୂଳକ ଭାବେ ପର୍ତ୍ତୁଗାଲରୁ ପ୍ରତ୍ୟାର୍ପଣ କରି ଭାରତ ଅଣାଯାଇଥିଲା । ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ କରିଥିବା ଚୁକ୍ତି ଅନୁସାରେ ସଲିମକୁ 25 ବର୍ଷରୁ ଅଧିକ ଭାରତ ଜେଲ ଦଣ୍ଡାଦେଶ ଦେଇପାରିବ ନାହିଁ । ତେବେ ଆଜୀବନ କାରାଦଣ୍ଡାଦେଶ ପାଇବା ପରେ ସଲିମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛି ।