ନୂଆଦିଲ୍ଲୀ:ବାଲେଶ୍ବର ଟ୍ରେନ ଦୁର୍ଘଟଣା ଯେତିକି ହୃଦୟ ବିଦାରକ ଥିଲା, ଏବେ ତଦନ୍ତ ମଧ୍ୟ ସେମିତି ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ପ୍ରସଙ୍ଗ ମଧ୍ୟ ଜୋର ଧରିବାରେ ଲାଗିଛି । କାରଣ ଦେଶରେ ଦୁର୍ଘଟଣା ଓ ରେଳମନ୍ତ୍ରୀଙ୍କ ଇସ୍ତଫାର ଧାରା ମଧ୍ୟ ବହୁପୁରୁଣା । ପ୍ରତ୍ୟେକ ବଡ ଦୁର୍ଘଟଣା ପରେ ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଇସ୍ତଫା ଦେବାର ଏକାଧିକ ନଜିର ରହିଛି । ହେଲେ ଏହି ବାଲେଶ୍ବର ଦୁର୍ଘଟଣାରେ 275 ଯାତ୍ରୀଙ୍କ ପ୍ରାଣହାନୀ ହେବା ଘଟଣାରେ ମୋଦି ସରକାର ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପରେ ଚାପର ମାତ୍ରା ମଧ୍ୟ କମ୍ ନାହିଁ । ଏହି ପ୍ରସଙ୍ଗରେ ଆଜି ପୂର୍ବତନ ରେଳମନ୍ତ୍ରୀ ନୀତିଶ କୁମାରଙ୍କ ବୟାନ ମଧ୍ୟ ଆସିଛି । ସେ ସିଧାସଳଖ ବୈଷ୍ଣବଙ୍କ ଇସ୍ତଫାକୁ ଉଚିତ ବୋଲି ନଦର୍ଶାଇ ନୈତିକତାର ପାଠ ପଢାଇଛନ୍ତି ।
ନୀତିଶ କହିଛନ୍ତି, ‘‘ମୁଁ ନୀତିଶଙ୍କ ସମ୍ପର୍କରେ ଜାଣିନାହିଁ । ହେଲେ 1999ରେ ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା ପରେ ମୁଁ ଇସ୍ତଫା ଦେଇଥିଲି । ସ୍ବେଚ୍ଛାକୃତ ଭାବେ ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରି ଇସ୍ତଫା ପାଇଁ ଇଚ୍ଛା ପ୍ରକାଶ କରିବା ସହ ଇସ୍ତଫାପତ୍ର ମଧ୍ୟ ଦେଇଥିଲି । ହେଲେ ଅଟଳ ଜୀ ଏହାକୁ ଗ୍ରହଣ କରିନଥିଲେ । ପଦ ବଜାୟ ରଖିବାକୁ କହିଥିଲେ । ହେଲେ ମୁଁ ଦ୍ବିତୀୟ ଥର ମଧ୍ୟ ଇସ୍ତଫାପତ୍ର ଧରି ପହଞ୍ଚିଥିଲି । ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ମତେ ଆଘାତ ଦେଇଥିଲା । ମୁଁ ମୋ ଦାୟିତ୍ବରୁ ଇସ୍ତଫା ଦେବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଅନୁରୋଧ କରିଥିଲି । ପରେ ସେ ମୋ ଅନୁରୋଧ ରକ୍ଷା କରି ଇସ୍ତଫା ପତ୍ର ଗ୍ରହଣ କରିଥିଲେ ।’’ ତେବେ ଏ କ୍ଷେତ୍ରରେ ଅଶ୍ବିନୀ କଣ କରିବେ ତାଙ୍କୁ ଜଣାନାହିଁ । ସେ କାହିଁକି କାହା ଇସ୍ତଫା ଦାବି କରିବେ । ବରଂ ସେ ଏହା କରିଥିଲେ ବୋଲି ନୀତିଶ କୁମାର କହିଥିଲେ ।