ହାଇଦ୍ରାବାଦ:ମଙ୍ଗଳବାର ପ୍ରକାଶ ପାଇଛି ୟୁପିଏସସି ପରୀକ୍ଷା ଫଳ । ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୨ରେ ଆସିଥିବା ରେଜଲ୍ଟ ଅନୁସାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଇଶିତା କିଶୋର, ଦ୍ବିତୀୟ ସ୍ଥାନରେ ରହିଛନ୍ତି ଗରିମା ଲୋହିଆ ଏବଂ ତୃତୀୟ ସ୍ଥାନ ଅଧିକୃତ କରିଛନ୍ତି ଏନ ଉମା ହରିତ । ତେବେ ଉମାଙ୍କ ବୟସ ୨୮ବର୍ଷ ହୋଇଥିବାବେଳେ ସେ ଏହା ପୂର୍ବରୁ ୪ଥର ୟୁପିଏସସି ପରୀକ୍ଷା ଦେଇ ବିଫଳ ହୋଇଥିଲେ । ହେଲେ ଚଳିତ ବର୍ଷ ଖାଲି ପାସ୍ କରିନାହାନ୍ତି ବରଂ ୩ ନମ୍ବର ସ୍ଥାନ ହାସଲ କରିବା ସହ ଆଣିଛନ୍ତି ଗର୍ବ ଓ ଗୌରବ ।
ତେବେ ସଫଳତାର ଶ୍ରେୟ ନିଜ ପିତାମାତାଙ୍କୁ ଦେଇଛନ୍ତି ଉମା । ପ୍ରଶାସନିକ ସେବା କ୍ଷେତ୍ରରେ ଯୋଗ ଦେବା ନିମନ୍ତେ ଉମାଙ୍କୁ ତାଙ୍କ ବାପା ସବୁ ସମୟରେ ପ୍ରେରିତ କରନ୍ତି ବୋଲି ସେ କହିଛନ୍ତି । ଆଇଆଇଟି ହାଇଦ୍ରାବାଦରୁ ସିଭିଲ ଇନଞ୍ଜିନିୟରିଂରେ ବିଟେକ୍ ପାସ୍ କରିଛନ୍ତି ଉମା ହରିତ୍ । ତେବେ ବିଟେକ୍ ପରେ ପ୍ରଶାସନିକ ସେବାରେ ପ୍ରବେଶ କରି ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରିଲେ କିଭଳି ସଫଳତା ମିଳିପାରିବ ସେନେଇ ତାଙ୍କ ବାପା ସବୁ ସମୟରେ ଉମାଙ୍କୁ ଉପଦେଶ ଦେଇଆସୁଥିଲେ । ଆଉ ବାପାଙ୍କ ଉପଦେଶ ମାନି ଉମା ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଚଳାଇଥିଲେ ସୁଦ୍ଧା ସିଭିଲ ସର୍ଭିସ ପରୀକ୍ଷାରେ ପାସ୍ କରିବାରେ ସମର୍ଥ ହୋଇପାରୁନଥିଲେ ।