ନୂଆଦିଲ୍ଲୀ:ଘରୋଇ ବିମାନରେ ରହିବନି କ୍ଷମତା ପ୍ରତିବନ୍ଧକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଜିଠାରୁ କୌଣସି କ୍ଷମତା ପ୍ରତିବନ୍ଧକ ବିନା ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦେଇଛି । ଏହା ସହିତ ମନ୍ତ୍ରଣାଳୟ ଦେଶର ବିମାନ ସେବା ଏବଂ ବିମାନବନ୍ଦରଗୁଡ଼ିକୁ ପ୍ରୋଟୋକଲ ଅନୁସରଣ କରିବାକୁ କହିଛି ଯାହା ବିମାନ ଯାତ୍ରା ସମୟରେ ସଂସଦର ସଦସ୍ୟ (ସାଂସଦ) ମାନଙ୍କୁ କିଛି ବିଶେଷ ସୁବିଧା ପ୍ରଦାନ କରିଥାଏ ।
ପ୍ରୋଟୋକଲ ସମ୍ବନ୍ଧରେ ଅବହେଳାର କିଛି ଘଟଣା ମନ୍ତ୍ରଣାଳୟର ନଜରକୁ ଆସିବା ପରେ ମନ୍ତ୍ରଣାଳୟ କହିଛି ଯେ ପ୍ରୋଟୋକଲକୁ ଅନୁସରଣ କରିବା ପାଇଁ ପୁନର୍ବାର ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ସମସ୍ତ ବିମାନ ହିତାଧିକାରୀ ଏହାକୁ ଅନୁସରଣ କରିବା ଉଚିତ୍ । 21 ସେପ୍ଟେମ୍ବର 2021 ତାରିଖ ଦିନ ମନ୍ତ୍ରଣାଳୟ କହିଥିଲା ଯେ ବିମାନବନ୍ଦରରେ ସାଂସଦଙ୍କ ସମ୍ପର୍କରେ ପ୍ରୋଟୋକଲ ପାଇଁ ସମୟ ସମୟରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ବିମାନବନ୍ଦରରେ ସାଂସଦମାନେ ପ୍ରୋଟକଲ ଅନୁସରଣ କରିବାରେ ଅବହେଳା କରୁଥିବା କିଛି ପ୍ରସଙ୍ଗ ମନ୍ତ୍ରଣାଳୟର ନଜରକୁ ଆସିଥିଲା ।