ଗାନ୍ଧୀନଗର:ଗୁଜୁରାଟ ଗାନ୍ଧୀନଗର ନିକଟ ରୁପାଲ ଗ୍ରାମରେ ମାଆ ବୀରଦାୟିନୀ ମନ୍ଦିର ରହିଛି । ନବରାତ୍ରୀରେ ଏଠାରେ ବିଶାଳ ପୂଜା ହେଉଥିବା ବେଳେ ଅନେକ ଶ୍ରଦ୍ଧାଳୁ ସାମିଲ ହୁଅନ୍ତି । ଏବେ ଏହି ମନ୍ଦିରକୁ ନେଇ ସବୁଠି ଚର୍ଚ୍ଚା । ଆମେରିକା ମୁଦ୍ରା ୧୧ ହଜାର ୫୦୦ ଡଲାରରେ ମନ୍ଦିରକୁ ଏପରି ସଜା ଯାଇଛି ଯେ ମନ୍ଦିରର ଆକର୍ଷଣ ଦ୍ବିଗୁଣିତ ହୋଇଛି । ଶ୍ରଦ୍ଧାଳୁ ମନ୍ଦିରକୁ ଦାନ କରିଥିବା ଏହି ଟଙ୍କାରେ ମା'ଙ୍କୁ ସଜ୍ଜିତ କରାଯାଇଛି ।
ଭାରତୀୟ ମୁଦ୍ରାରେ ଏହି ୧୧ ହଜାର ୫୦୦ ଡଲାରର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ପୂର୍ଣ୍ଣିମା ଅବସରରେ ଏହି ଦାନ ଅର୍ଥକୁ ମା'ଙ୍କ ସଜ୍ଜିତ କାର୍ଯ୍ୟରେ ବ୍ୟବହାର କରାଯାଇଛି । ମନ୍ଦିର ପରିଚାଳନା କମିଟିର ସୂଚନା ଅନୁସାରେ ଏହି ଅର୍ଥ ଦାନ କରିଥିବା ଶ୍ରଦ୍ଧାଳୁଙ୍କ ସମ୍ପର୍କରେ କୌଣସି ପରିଚୟ ମିଳିନାହିଁ । ଏହି ମନ୍ଦିରକୁ ଆସୁଥିବା ଦାନ ଅର୍ଥକୁ ମନ୍ଦିରର ବିକାଶ କାର୍ଯ୍ୟରେ ଲଗାଯାଏ ବୋଲି କମିଟି କହିଛି ।