ନୂଆଦିଲ୍ଲୀ:କୋଭିଡ ମହାମାରୀ ସମୟରେ ପାରାସିଟାମଲ (Dolo-650 mg) ଟାବେଲେଟର ବିକ୍ରି ହାର ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ତେବେ ଏହାର ମାତ୍ରାଧିକ ବ୍ୟବହାର ଓ ବିକ୍ରିକୁ ନେଇ ଏବେ ଚକିତ କରିବା ପରି ଖବର ସାମ୍ନାକୁ ଆସିଛି । ଏହାକୁ ରୋଗୀଙ୍କୁ ପ୍ରେସକ୍ରାଇବ କରିବା ପାଇଁ ଡାକ୍ତରଙ୍କୁ ପ୍ରାୟ 1 ହଜାର କୋଟିର ମାଗଣା ଉପହାର ପ୍ରଦାନ କରିଛି ଏହି ଟାବଲେଟର ପ୍ରସ୍ତୁତକାରୀ କମ୍ପାନୀ । ଏପରି ଏକ ଆଶ୍ଚର୍ଯ୍ୟଚକିତ କରିବା ପରି ତଥ୍ୟ ଏବେ ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରାଯାଇଛି । ଏହି ଔଷଧର ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଫେଡେରେସନ ଅଫ ମେଡିକାଲ ଓ ସେଲ ରିପ୍ରେଜେଣ୍ଟଟିଭ ଆସୋସିଏନ (FMRAI) ଏକ ମାମଲା କରିଥିଲା । ଆଜି ଉକ୍ତ ମାମଲାର ଶୁଣାଣିବେଳେ ସର୍ବୋଚ୍ଚ କୋର୍ଟଙ୍କୁ ଏପରି ତଥ୍ୟ ସମ୍ବଳିତ ସୂଚନା ଅବଗତ କରାଇଛି ଆବେଦନକାରୀ ପକ୍ଷ FMRAI ।
ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ (Justice DY Chandrachud) ଓ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କୁ (Justice AS Bopanna) ନେଇ ଗଠିତ ଖଣ୍ଡପୀଠ ଆଜି (ଗୁରୁବାର) ଏହି ମାମଲାର ଶୁଣାଣି କରିଥିଲେ । FMRAIର ଏପରି ତଥ୍ୟରେ ଖଣ୍ଡପୀଠର ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଶୁଣାଣିବେଳେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, "ସେ ନିଜେ କୋଭିଡରେ ଆକ୍ରାନ୍ତ ଥିବାବେଳେ ମଧ୍ୟ ତାଙ୍କୁ ଏହି ଟାବଲେଟ ଖାଇବା ପାଇଁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହା ଏକ ଗମ୍ଭୀର ପ୍ରସଙ୍ଗ ।" ଏହି ମାମଲାରେ 10 ଦିନ ମଧ୍ୟରେ ବିସ୍ତୃତ ଉତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ ।