ମୁମ୍ବାଇ:ପତ୍ନୀଙ୍କ ପରକୀୟା ପ୍ରୀତି । ଡାକ୍ତର ସ୍ବାମୀଙ୍କୁ ଆନାସ୍ଥେସିଆ ଦେଇ ହତ୍ୟା କରିବାକୁ ପତ୍ନୀଙ୍କ ଉଦ୍ୟମ । ଆଉ ସେଥିରେ ସଫଳ ମଧ୍ୟ ହୋଇଛନ୍ତି । ପରକୀୟା ପ୍ରୀତିରେ ସ୍ବାମୀ ବାଧକ ସାଜିବାରୁ ସ୍ବାମୀଙ୍କୁ ଆନାସ୍ଥେସିଆ ଦେବା ପରେ ଡାକ୍ତର ଜଣକ କୋମାକୁ ଚାଲିଯାଇଥିଲେ । ଦୀର୍ଘ ୩୩ ଦିନ କୋମାରେ ରହିବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ ଡାକ୍ତରଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି । ଏହି ଘଟଣା ମହାରାଷ୍ଟ୍ର ନାଶିକ ଅଞ୍ଚଳରେ ଘଟିଛି ।
ମୃତ ଡାକ୍ତରଙ୍କ ନାଁ ସତୀଶ କେଶବରାଓ ଦେଶମୁଖ ବୋଲି ଜଣାପଡ଼ିଛି । ତାଙ୍କ ଦ୍ବିତୀୟ ପତ୍ନୀ ହେଉଛନ୍ତି ସୁହାଶିନୀ । ସୁହାଶିନୀ ନିଜ ପ୍ରେମିକ ଅର୍ଜୁନ କାନ୍ଦେକରଙ୍କ ସହିତ ଏହି ହତ୍ୟା ଷଡ଼ଯନ୍ତ୍ର ରଚି ଡାକ୍ତର ସ୍ବାମୀଙ୍କୁ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ଗତ ସେପ୍ଟେମ୍ବର ୧୦ ତାରିଖରେ ପରିକ୍ଷିତ ହସ୍ପିଟାଲରେ ଘଟିଛି । ଏହି ଘଟଣାରେ ମହଶରୁଲ ପୋଲିସ ଷ୍ଟେସନରେ ୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ପରିକ୍ଷିତ ହସ୍ପିଟାଲ ହେଉଛି ଦେଶମୁଖଙ୍କ ଘରୋଇ ହସ୍ପିଟାଲ ।
ଗତ ସେପ୍ଟେମ୍ବର ୧୦ ତାରିଖରେ ଡାକ୍ତର ଦେଶମୁଖ ନିଜ ଦ୍ବିତୀୟ ପତ୍ନୀ ସୁହାଶିନୀ ଓ ତାଙ୍କ ପ୍ରେମିକ ଅରୁଣକୁ ଏକାଠି ଦେଖିଥିଲେ । ଏହାପରେ ସେ ଦୁହିଁଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥିଲେ । ନିଜ ପତ୍ନୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଦେଶମୁଖ ଜାଣିବା ପରେ ୩ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପତ୍ନୀ ସୁହାଶିନୀଙ୍କ ପ୍ରେମିକ ହସ୍ପିଟାଲରୁ ଯିବା ପରେ ବିଶ୍ରାମ ପାଇଁ ସୁହାଶିନୀ ରେଷ୍ଟ ରୁମ୍କୁ ଯାଇଥିଲେ । ଏହି ସମୟରେ ସେ ଡାକ୍ତର ଦେଶମୁଖଙ୍କୁ ଆନାସ୍ଥେସିଆ ଦେଇଥିଲେ ।
ଏହା ବି ପଢନ୍ତୁ- ମହିଳାଙ୍କ ସହ ପାର୍ଟି ପରେ ଗଣଦୁଷ୍କର୍ମ, ୩ ବନ୍ଧୁ ଗିରଫ
ଏ ସମ୍ପର୍କରେ ଡାକ୍ତର ତୁରନ୍ତ ପୁଅ ପରିକ୍ଷିତକୁ ଜଣାଇଥିଲେ । ପରିକ୍ଷିତ ମଧ୍ୟ ପୋଲିସକୁ ଏ ନେଇ ସୂଚନା ଦେଇଥିଲେ । ତେବେ ଏହି ଆନାସ୍ଥେସିଆ ପ୍ରଭାବରେ ଡାକ୍ତରଙ୍କ ଚେତା ଫେରିନଥିଲା ଏବଂ ସେ କୋମାକୁ ଚାଲିଯାଇଥିଲେ । ଦୀର୍ଘ ୩୩ ଦିନ ଧରି ତାଙ୍କ ଚେତା ନ ଫେରିବା ପରେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି । ଦେଶମୁଖଙ୍କ ପ୍ରଥମ ପତ୍ନୀ ଗତ କିଛି ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲେ । ସୁହାଶିନୀଙ୍କ ସହ ଦେଶମୁଖଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ତାଙ୍କର ପ୍ରଥମ ପତ୍ନୀ ଆତ୍ମହତ୍ୟା କରିଥିଲେ ।
ପ୍ରଥମ ପତ୍ନୀଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକେଇବା ବା ବାଧ୍ୟ କରିବା ଅଭିଯୋଗରେ କୋର୍ଟ ଦେଶମୁଖଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିଲାଗି ଦେଶମୁଖଙ୍କୁ ୫ରୁ ୬ ବର୍ଷ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡି଼ଥିଲା । ଦେଶମୁଖଙ୍କ ଦ୍ବିତୀୟ ପତ୍ନୀ ସୁହାଶିନୀଙ୍କ ଏକ ସନ୍ତାନ ମଧ୍ୟ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦେଶମୁଖ ଜେଲ ଯିବା ପରେ ସୁହାଶିନୀ ଆଉ ଜଣଙ୍କୁ ବିବାହ କରିଥିଲେ । ସୁହାଶିନୀ ଯାହାକୁ ବିବାହ କରିଥିଲେ ସେହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା ।
ଅନ୍ୟପଟେ ଦେଶମୁଖ ଜେଲରୁ ଫେରିବା ପରେ ପ୍ରଥମ ପତ୍ନୀଙ୍କ ପୁଅ ସହିତ ରହୁଥିଲେ । ତେବେ କୋରୋନା ମହାମାରୀ ସମୟରେ ସୁହାଶିନୀକୁ କୋଭିଡ ପଜିଟିଭରେ ଆକ୍ରାନ୍ତ ହୋଇଥିଲେ । ସୁହାଶିନୀ ନିଜର ଚିକିତ୍ସା କରାଇବା ନିମନ୍ତେ ଡାକ୍ତର ଦେଶମୁଖଙ୍କୁ ଅନୁରୋଧ କରିଥିଲେ । ଡାକ୍ତର ଦେଶମୁଖଙ୍କ ହସପିଟାଲରେ ରହି ସୁହାଶିନୀ ଚିକିତ୍ସିତ ହେଉଥିଲା । ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ସଂପର୍କ ଯୋଡି ହୋଇଥିଲା । ସେମାନେ ପୁଣିଥରେ ବିବାହ କରିବା ସହିତ ଏକତ୍ର ରହୁଥିଲେ ।
ତେବେ କିଛି ମାସ ପୂର୍ବରୁ ସୁହାଶିନୀଙ୍କ ଜୀବନରେ ତୃତୀୟ ପ୍ରେମିକ ଭାବେ ଅରୁଣ କାନ୍ଦେରଙ୍କ ଆବିର୍ଭାବ ହୋଇଥିଲା । ଉଭୟ ସୁହାଶିନୀ ଏବଂ ତାଙ୍କ ତୃତୀୟ ପ୍ରେମିକ ଅରୁଣ କାନ୍ଦେରଙ୍କୁ ଏକାଠି ଦେଖିବା ପରେ ଉଭୟଙ୍କୁ ପ୍ରଶ୍ନ କରିଥିଲେ । ଏହି ଘଟଣା ପରେ ସୁହାଶିନୀ ସ୍ବାମୀ ଡାକ୍ତର ଦେଶମୁଖଙ୍କୁ ଆନାସ୍ଥେସିଆ ଇଞ୍ଜକସନ୍ ଦେଇଥିଲେ । ଯାହାଫଳରେ ୩୩ଦିନ କୋମାରେ ରହିବା ପରେ ଡାକ୍ତରଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ଦେଶମୁଖଙ୍କର ମୃତ୍ୟୁ ଘଟିବା ପରେ ପୁଅର ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ସେପଟେ ମୃତ ଡାକ୍ତରଙ୍କ ଦ୍ବିତୀୟ ପତ୍ନୀ ସୁହାଶିନୀ ଓ ପ୍ରେମିକ ଅରୁଣ କାନ୍ଦେର ଫେରାର ଥିବା ପୋଲିସ କହିଛି ।