ଚେନ୍ନାଇ:ଚାକିରି ପାଇଁ ଟଙ୍କା ମାମଲାରେ ଗିରଫ ହୋଇଛନ୍ତି ତାମିଲନାଡୁର ଶକ୍ତି ମନ୍ତ୍ରୀ ତଥା ଡିଏମକେ ନେତା ସେନ୍ଥିଲ ବାଲାଜୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ମନ୍ତ୍ରୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିବା ପରେ ତାଙ୍କୁ ଗିରଫ କରିଛି । ତେବେ ଏହି ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା ପାଇଁ ଇଡି ବାଲାଜୀଙ୍କୁ ଗିରଫ କରି ହାଜତକୁ ନେଉଥିବା ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଗାଡିରେ କାନ୍ଦି କାନ୍ଦି ଗଡି ଯାଇଥିଲେ । ଛାତିରେ ଯନ୍ତ୍ରଣା ହେଉଥିବା କହିବାରୁ ଡିଏମକେ ନେତାଙ୍କୁ ତୁରନ୍ତ ଚେନ୍ନାଇ ସ୍ଥିତ ଓମାନଦୁରାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ହସ୍ପିଟାଲକୁ ନିଆଯାଉଥିବା ବେଳେ ମନ୍ତ୍ରୀ ବାଲାଜୀ ଯନ୍ତ୍ରଣାରେ କାର୍ ଭିତରେ ଶୋଇ କାନ୍ଦିଥିଲେ । ଏହାଦେଖି ହସ୍ପିଟାଲ ପରିସରରେ ଥିବା ତାଙ୍କର ସମର୍ଥକମାନେ ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ କରିଥିଲେ । ଏନେଇ ଡିଏମକେ ସାଂସଦ ଏବଂ ଆଇନଜୀବୀ ଏନ.ଆର ଏଲାଙ୍ଗୋ କହିଛନ୍ତି, ''ବାଲାଜୀଙ୍କୁ ଆଇସିୟୁରେ ରଖାଯାଇଛି । ଡାକ୍ତର ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ବାଲାଜୀଙ୍କ ଗିରଫଦାରୀ ସମ୍ପର୍କରେ ଇଡି ପକ୍ଷରୁ ତାଙ୍କୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ ।'' ତେବେ ମନ୍ତ୍ରୀଙ୍କ ତୁରନ୍ତ ବାଇପାସ ସର୍ଜରୀ କରାଇବା ପାଇଁ ଆଜି ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: ଗୋପନ ଦସ୍ତାବିଜ ରଖିବା ମାମଲାର ଡୋନାଲ୍ଡ ଟ୍ରମ୍ପ ଗିରଫ, ମିଳିଲା ଜାମିନ