ଜୟପୁର:ବର୍ଷା ଓ ବଜ୍ରପାତ କାରଣରୁ ଗତକାଲି ସଂଧ୍ୟାରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ସମ୍ଭବ ନହେବା କାରଣରୁ 10 ବିମାନ ରାଜସ୍ଥାନର ଜୟପୁର ବିମାନ ବନ୍ଦରକୁ ଡାଇଭର୍ଟ ହୋଇଥିଲେ । ପରବର୍ତ୍ତୀ ସମୟରେ ପାଗରେ ସୁଧାର ଆସିବା ପରେ ସେଗୁଡିକ ମଧ୍ୟରୁ 8 ବିମାନ ଦିଲ୍ଲୀ ଫେରିଥିଲେ । ମାତ୍ର ଅବଶିଷ୍ଟ 2 ବିମାନ ଜୟପୁର ବିମାନ ବନ୍ଦରରେ ପ୍ରାୟ 12 ରୁ 13 ଘଣ୍ଟା ଧରି ଅଟକି ରହିଥିଲା । ପାଗରେ ସୁଧାର ପରେ ଦିଲ୍ଲୀ ବିମାନ ବନ୍ଦର ଟ୍ରାଫିକ କଣ୍ଟ୍ରୋଲ(ଏଟିସି) ଏଗୁଡ଼ିକୁ ଦିଲ୍ଲୀ ଫେରିବା ପାଇଁ କ୍ଲିୟରାନ୍ସ ଦେଇଥିଲେ ସୁଦ୍ଧା ଏହି ଦୁଇ ବିମାନ ଜୟପୁରରୁ ଉଡ଼ାଣ ଭରିନଥିଲା । ଏହାର କାରଣ ଥିଲା, ଦୁଇ ବିମାନର ପାଇଲଟ ଉଡାଣ ଘଣ୍ଟା ଅବଧି ଶେଷ ହୋଇଥିବା କାରଣରୁ ବିମାନ ଉଡ଼ାଇନଥିଲେ ।
ବେସାମରିକ ଉଡ଼ାଣ ନିର୍ଦ୍ଦେଶାଳୟ (ଡିଜିସିଏ)ର ନିୟମାବଳି ଅନୁସାରେ, ଜଣେ ପାଇଲଟଙ୍କର ନିର୍ଦ୍ଦିଷ୍ଟ ଘଣ୍ଟାର ଉଡ଼ାଣ ଅବଧି ରହିଥାଏ । ଏହାପରେ ସେ ବିମାନ ଉଡାଇ ପାରିବେନାହିଁ । ତାଙ୍କୁ କକପିଟ ଛାଡିବାକୁ ପଡିବ । ତେଣୁ ଏହି ଦୁଇ ବିମାନ କ୍ଷେତ୍ରରେ ସେହିପରି ସମସ୍ୟା ଦେଖାଯିବା ଫଳରେ ଏହା 12 ଘଣ୍ଟାରୁ ଅଧିକ ସମୟ ଜୟପୁରରେ ଫସି ରହିଥିଲା । ଏହି ଦୁଇ ଫ୍ଲାଇଟ ମଧ୍ୟରେ କୋଲକାତା-ଦିଲ୍ଲୀ ଏୟାର ଇଣ୍ଡିଆ AI-768 ବିମାନ ଓ ହାଇଦ୍ରାବାଦ-ଦିଲ୍ଲୀ ଏୟାର ଇଣ୍ଡିଆ-AI-541 ବିମାନ ରହିଥିଲା । ଯାତ୍ରୀମାନେ ସାରା ରାତି ଜୟପୁର ବିମାନ ବନ୍ଦର ଟର୍ମିନାଲରେ ଅପେକ୍ଷା କରିବା ପରେ ଆଜି ମଧ୍ୟାହ୍ନରେ ଦିଲ୍ଲୀ ଫେରିଛନ୍ତି ।
ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହଠାତ ପାଗରେ ପରିବର୍ତ୍ତନ ଆସିବା ସହ ବଜ୍ରପାତ ଓ ବର୍ଷା ଆରମ୍ଭ ହୋଇଥିଲା । ଦେଶର ସର୍ବାଧିକ ବ୍ୟସ୍ତବହୁଳ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କିଛି ସମୟ ପାଇଁ ସମସ୍ତ ଉଡ଼ାଣ ବନ୍ଦ ରଖାଯିବା ସହ ଅବତରଣ ସୂଚୀରେ ଥିବା 16ଟି ବିମାନକୁ ବିଭିନ୍ନ ନକଟସ୍ଥ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ଏଗୁଡ଼ିକ ମଧ୍ୟରେ ଡୋମେଷ୍ଟିକ୍ ଓ ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ ସାମିଲ ଥିଲା । ନିକଟସ୍ଥ ଜୟପୁର ବିମାନ ବନ୍ଦରକୁ ସର୍ବାଧିକ 10ଟି ବିମାନ ଡାଇଭର୍ଟ ହୋଇଥିବା ବେଳେ ଲକ୍ଷ୍ନୌକୁ 3ଟି, ଅମୃତସରକୁ 2ଟି ଓ ଅହମ୍ମଦାବାଦ ବିମାନ ବନ୍ଦରକୁ ଗୋଟିଏ ବିମାନ ଡାଇଭର୍ଟ କରାଯାଇଥିଲା ।