ରାୟପୁର:ଛତିଶଗଡ଼ର ରାଜଧାନୀ ରାୟପୁରରେ କୁକୁରକୁ ନେଇ ଉପୁଜିଛି ବିବାଦ । ଯାହାକୁ ନେଇ ୨ ଗୋଷ୍ଠୀ ହୋଇଛନ୍ତି ଲହୁ ଲୁହାଣ । ଉଭୟ ଗୋଷ୍ଠୀ ମଧ୍ୟରେ ଲାଠି ଦ୍ବାରା ଆକ୍ରମଣ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ବିଶୃଙ୍ଖଳା ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ନେବା ସହିତ ଉଭୟ ଗୋଷ୍ଠୀ ବିରୋଧରେ ମାରପିଟ ଓ ଅନ୍ୟ ଧାରା ନେଇ ମାମଲା ରୁଜୁ କରିଛି ।
ଆହତଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାୟପୁର ଡିଡି ନଗର ଥାନା ଅଞ୍ଚଳରେ ୨ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପୋଲିର କହିବା ଅନୁସାରେ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ସାମ୍ନାରେ ଥିବା ପଡ଼ୋଶୀ ଏକ କୁକୁର ପାଳିଛନ୍ତି । ଯିଏକି ତାଙ୍କ ଘର ସମ୍ମୁଖରେ ଅପରିଷ୍କାର ପରିବେଶ ସୃଷ୍ଟି କରେ । ଏନେଇ ସେମାନେ କୁକୁରକୁ ଶନିବାର ସନ୍ଧ୍ୟାରେ ପିଟିଥିଲେ । କୁକୁରକୁ ପିଟିବା ପରେ ମାଲିକ ଓ ତାଙ୍କ ୨ ପୁଅ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ରକ୍ଷା କରିବା ଲାଗି ପରିବାର ସଦସ୍ୟ ପହଞ୍ଚିବା ପରେ ତାଙ୍କ ଉପରକୁ ମଧ୍ୟ ସେମାନେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।