ଓଡିଶା

odisha

ETV Bharat / bharat

ଦିଲ୍ଲୀପଙ୍କ ଦେହାନ୍ତରେ କାନ୍ଦୁଛି ଦେଶ - ଦିଲ୍ଲୀପ କୁମାରଙ୍କ ଦେହାନ୍ତ

ବର୍ଷିୟାନ କଳାକାର ଦିଲ୍ଲୀପ କୁମାରଙ୍କ ଦେହାନ୍ତରେ କଳାଜଗତ ସହ ସାରା ଦେଶରେ ଶୋକର ଛାୟା । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅଭିନେତାଙ୍କ ଠାରୁ ଆରମ୍ଭ କରି ସିନେପ୍ରେମୀ କଲେ ଶୋକବ୍ୟକ୍ତ । ଅଧିକ ପଢନ୍ତୁ...

ଦିଲ୍ଲୀପଙ୍କ ଦେହାନ୍ତରେ କାନ୍ଦୁଛି ଦେଶ
ଦିଲ୍ଲୀପଙ୍କ ଦେହାନ୍ତରେ କାନ୍ଦୁଛି ଦେଶ

By

Published : Jul 7, 2021, 11:29 AM IST

ମୁମ୍ବାଇ: ଭାରତୀୟ ସିନେମା ଜଗତର ଅବସାଦ ଘଟିଲା, ଚାଲିଗଲେ ବର୍ଷିୟାନ କଳାକାର ଦିଲ୍ଲୀପ କୁମାର । 98 ବର୍ଷ ବୟସରେ ଆଖି ବୁଜିଛନ୍ତି ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ । ପୋଲମୋନୋଲୋଜିଷ୍ଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସିନେମା ଜଗତର କିମ୍ବଦନ୍ତୀ ପୁରୁଷ ।

ତାଙ୍କ ବିୟୋଗରେ ସାରା ବଲିଉଡ ଜଗତ ଏବଂ ସିନେପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଏପରି ଜଣେ ଯୁଗସ୍ରଷ୍ଟାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକବ୍ୟକ୍ତ କରିବା ସହ ଟ୍ବିଟ କରି କହିଛନ୍ତି ଯେ, 'ଦିଲୀପ କୁମାର ନିଜ ଭିତରେ ଉଦୀୟମାନ ଭାରତର ଏକ ଇତିହାସକୁ ରଖିଥିଲେ । ତାଙ୍କର ଦେହାନ୍ତରେ ଏକ ଯୁଗର ଅବସାଦ ଘଟିଛି । ସେ ଭାରତୀୟଙ୍କ ହୃଦୟରେ ସବୁଦିନ ପାଇଁ ଜୀବିତ ରହିବେ ।'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକବ୍ୟକ୍ତ କରି କହିଛନ୍ତି ଯେ, 'ସିନେମା କିମ୍ବଦନ୍ତୀ ଭାବରେ ଦିଲୀପ କୁମାର ଜୀ ସର୍ବଦା ଚୀର ସ୍ମରଣୀୟ ରହିବେ । ସେ ଅନନ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ, ଯେଉଁଥିପାଇଁ ଦର୍ଶକମାନେ ତାଙ୍କୁ ଖୁବ୍ ଭାଲ ପାଉଥିଲେ । ତାଙ୍କର ଦେହାନ୍ତ ଆମ କଳାକାର ଦୁନିଆ ପାଇଁ ଏକ ବିରାଟ କ୍ଷତି । ତାଙ୍କ ପରିବାର, ବନ୍ଧୁ ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ସମବେଦନା ଜଣାଉଛି।'

ସେହିପରି କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ 'ଦିଲ୍ଲୀପ ରୂପେଲି ପରଦାର ଏକ ତାରକା ଥିଲେ । ଭାରତୀୟ ସିନେମା ଜଗତ ଏକ ପ୍ରଖ୍ୟାତ କଳାକାରଙ୍କୁ ହରାଇଛି । ତାଙ୍କ ଅବିଶ୍ୱସନୀୟ ଅଭିନୟ ଏବଂ ପ୍ରେରଣାଦାୟୀ ଭୂମିକାକୁ ଦର୍ଶକ କେବେ ଭୁଲି ପାରିବେନି ।' ଏପରି ଜଣେ ବର୍ଷିୟାନ କଳାକାରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାର ଏବଂ ଶୁଭାକାଂଙ୍ଖିଙ୍କୁ ସମବେଦନା ଜଣାଇଛନ୍ତି ।

ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ଦେହାନ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, 'ବଲିଉଡର ଏକ ଅଧ୍ୟାୟର ସମାପ୍ତି ଘଟିଲା । ତାଙ୍କ ଅଭିନୟ କଳା ଜଗତର ଏକ ବିଶ୍ବ ବିଦ୍ୟାଳୟ ସହ ସମାନ ଥିଲା । ୟୁସୁଫ ସାହବ ସମସ୍ତଙ୍କ ମନରେ ଜୀବନ୍ତ ହୋଇ ରହିବେ । ଭଗବାନ ଦିଲ୍ଲୀପଙ୍କ ଆତ୍ମାଙ୍କୁ ତାଙ୍କ ଚରଣରେ ଜାଗା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।

ଅଭିନେତା ଅମିତାଭ ବଚ୍ଚନ ଶୋକବ୍ୟକ୍ତ କରି କହିଛନ୍ତି ଯେ, 'ଏକ ଶିକ୍ଷାନୁଷ୍ଠାନର ଅବସାନ ଘଟିଲା, ଯେତେବେଳେ ଭାରତୀୟ ସିନେମାର ଇତିହାସ ଲେଖାଯିବ ସେତେବେଳେ ପ୍ରଥମେ ଦିଲ୍ଲୀପ କୁମାର ମନେପଡିବେ ଏବଂ ପରେ ମଧ୍ୟ ମନେ ପଡିବେ । ଅମର ଆତ୍ମାର ସଦଗତି କାମନା ପାଇଁ ମୁଁ ଦୁଆ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।'

ସେହିପରି ଭାରତୀୟ ସିନେମା ଜଗତର ଏକ ସ୍ବର୍ଣ୍ଣିମ ଅଧ୍ୟାୟରେ ଦିଲ୍ଲୀପ ମନେରହିବେ ବୋଲି ନିର୍ଦ୍ଦେଶକ ସୁବାସ ଘାଇ କହିଛନ୍ତି । ଚାଲନ୍ତୁ ଆମେମାନେ ଭଗବାନଙ୍କ ପାଖକୁ ଯାଇ ତାଙ୍କୁ ଫେରାଇ ଆଣିବା ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି । ଏକ ଯୁଗର ସମାପ୍ତି ଘଟିଲା ବୋଲି ସେ ଟ୍ବିଟ କରି କହିଛନ୍ତି ।

ଅଭିନେତା ଅକ୍ଷୟ କୁମାର ଟ୍ବିଟ କରି କହିଛନ୍ତି ଯେ, 'ଦୁନିଆ ପାଇଁ ଅନେକ ଲୋକ ହିରୋ ହୋଇପାରନ୍ତି । ଆମ ଅଭିନେତାମାନଙ୍କ ପାଇଁ ଦିଲ୍ଲୀପ କୁମାର ସାର୍ ହିରୋ ଥିଲେ । ସେ ତାଙ୍କ ସହ ଭାରତୀୟ ସିନେମାର ଏକ ଯୁଗକୁ ନେଇଯାଇଛନ୍ତି ।'

ଆମେ ଆଜି ଏକ ଜେମକୁ ହରାଇଛୁ ବୋଲି ଅଭିନେତ୍ରୀ ସୋନାଲି ବେନ୍ଦ୍ରା ଟ୍ବିଟ କରି କହିଛନ୍ତି । ସିନେମା ଜଗତ ପ୍ରତି ଆପଣଙ୍କ ଅବଦାନ ଚୀର ସ୍ମରଣୀୟ ରହିବ ।

ତେବେ ଆଜି ସନ୍ଧ୍ୟା 5ଟାରେ ମୁମ୍ବାଇର ସାନ୍ତାକ୍ରୁଜରେ ଦିଲ୍ଲୀପ କୁମାରଙ୍କ ଅନ୍ତିମ ସତ୍କାର କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details