ନୂଆଦିଲ୍ଲୀ:ଲୋକସଭାରେ ଆଗତ ହେଲା ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍-2023 । ଆଜି(ଗୁରୁବାର) କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍କୁ ଲୋକସଭାରେ ଆଗତ କରିଛନ୍ତି । ଏହାକୁ ବିରୋଧୀ ଦଳମାନେ ବିରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ବିଲ୍ ନାଗରିକଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷା ଗୋପନୀୟତାକୁ ଉଲ୍ଲଙ୍ଘନ କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଚଳିତ ଅଧିବେଶନରେ ଏହି ବିଲ୍ ଆଗତ ହେବା ନେଇ ପ୍ରକ୍ରିୟା ଜାରି ରହିଥିଲା । ଆଜି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍ ଆଗତ କରିବା ପରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବା ଆରମ୍ଭ କରିଥିଲେ । ଏହି ବିଲ ନାଗରିକଙ୍କ ଗାପନୀୟତା ଉଲଙ୍ଘନ କରିବ ବୋଲି ଅଭିଯୋଗ କରିଥିଲେ । ଏହାକୁ ଗୃହରେ ଆଗତ କରିବା ପୂର୍ବରୁ ସ୍କୃଟିିନି ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଯିବାର ଆବଶ୍ୟକତା ରହିଥିବା ସେମାନେ ଦାବି କରିଥିଲେ ।
ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ବୈଷ୍ଣବ କହିଥିଲେ, ଏହି ବିଲ୍ ଏକ ଅର୍ଥ ସଂକ୍ରାନ୍ତୀୟ ବିଲ୍ ନୁହେଁ । ତେଣୁ ଏହାକୁ ଗୃହରେ ଆଗତ କରିବା ପୂର୍ବରୁ ସ୍କୃଟିନି ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଯିବାର ଆବଶ୍ୟକତା ନାହିଁ । ଏହି ବିଲ୍ ସମ୍ପର୍କରେ ବିରୋଧୀ ଚାହୁଁଥିବା ସମସ୍ତ ଆଲୋଚନା ଗୃହରେ ମଧ୍ୟ ହୋଇପାରିବ । ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ପ୍ରକ୍ରିୟାକରଣ ପାଇଁ ବିଲ୍ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ପ୍ରଦାନ କରିବ । ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ଏବଂ ତଥ୍ୟକୁ ଆଇନଗତ ଭାବେ ବ୍ୟବହାର ପ୍ରକ୍ରିୟାକୁ ଏହି ବିଲ୍ ସ୍ୱୀକୃତି ଦେବ ।