ଜୟପୁର: ଅନେକ ଐତିହାସିକ କୀର୍ତ୍ତିରାଜୀକୁ ଛାତିରେ ଚାପି ରଖିଛି ରାଜସ୍ଥାନ । ଐତିହାସିକ କୀର୍ତ୍ତିମାନ ସହ ପ୍ରାକୃତିକ ଶୋଭାରାଜି ପାଇଁ ମଧ୍ୟ ଏହି ରାଜ୍ୟ ସୁପରିଚିତ । ଏଥିପାଇଁ ତ ଭାରତରେ ଉଦୟପୁର ହ୍ରଦର ସହର ବା ଲେକ ସିଟି ବୋଲି କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଉଦୟପୁରର ଏକ କୃତ୍ରିମ ହ୍ରଦ ବିଷୟରେ କହିବୁ । ଉଦୟପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ 48 କିମି ଦୂରରେ ଥିବା ଏସିଆର ଏହି ଦ୍ବିତୀୟ ସର୍ବବୃହତ ହ୍ରଦ ହେଉଛି ଜୟସମନ୍ଦ ଲେକ୍ । ଏହା ଢେବର ହ୍ରଦ ନାମରେ ବି ସୁପରିଚିତ । 1687ରୁ 1691 ମଧ୍ୟରେ ତିଆରି ହୋଇଥିଲା ଢେବର ହ୍ରଦ ।
ବର୍ଷା ଦିନେ ଏହି ହ୍ରଦର ପାଣି ଆରବ ସାଗରକୁ ଯାଏ । ଏହି ହ୍ରଦର ମୂଳ ନାମ ହେଉଛି ଢେବର । ଦୁଇଟି ପାହାଡ଼ ମଧ୍ୟରେ ଥିବା ଖାଲିସ୍ଥାନକୁ ଯୋଡ଼ି ତିଆରି ଏହି ହ୍ରଦ । ମହାରାଜା ଜୟସିଂହ ଏହି ହ୍ରଦର ନିର୍ମାଣ କରିଥିବାରୁ ପରବର୍ତ୍ତୀ ସମୟରେ ତାଙ୍କରି ନାମରେ ଏହାର ଜୟସମନ୍ଦ ନାମରେ ହେଲା ପରିଚିତ । ମିଠାପାଣିରେ ଭରପୁର ଏହି ହ୍ରଦରେ ରହିଛି 7ଟି ଟାପୁ । ଢେବର ହ୍ରଦ 36 ବର୍ଗ କିଲୋମିଟର ଅଞ୍ଚଳରେ ପ୍ରସାରିତ । ଏହା 14 କିମି ପର୍ଯ୍ୟନ୍ତ ଲମ୍ବା ହୋଇଥିବା ବେଳେ 9 କିମି ଚଉଡ଼ା । 9ଟି ନଦୀ ଓ 99ଟି ନାଳର ପାଣି ଏହି ବୃହତ ହ୍ରଦ ସହ ଜଡ଼ିତ ।
କିମ୍ବଦନ୍ତୀ ରହିଛି ମହାରାଣା ରାଜ ସିଂ ରାଜମସନ୍ଦ ତିଆରି କରିଥିଲେ । ତାଙ୍କୁ ଦେଖି ତାଙ୍କ ପୁଅ କହିଥିଲେ ମୁଁ ଏମିତି କିଛି ତିଆରି କରିବି ଯାହା ପୂରା ଦୁନିଆ ଦେଖିବ । ତାପରେ ତିଆରି ହୋଇଥିଲା 9 ନଦୀ 99 ନାଳର ସଙ୍ଗମ ଏହି ହ୍ରଦ।