ନୂଆଦିଲ୍ଲୀ: ପୂର୍ବ ଭାରତର ଜୀବନ ଧାରାରେ ବିରାଟ ପରିବର୍ତ୍ତନ ଆଣିଛି ମିଶନ ପୂର୍ବୋଦୟା । ପୂର୍ବୋଦୟାର ମାଧ୍ୟମରେ ଆଜି ପୂର୍ବ ଭାରତର 50 କୋଟି ଲୋକଙ୍କ ଅଭିବୃଦ୍ଧି ହେବା ସହ ସେମାନଙ୍କ ଜୀବନରେ ଉନ୍ନତି ଆଣିଛି । ଗୁରୁବାର ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବୋଦୟାର ସଫଳତା ବଖାଣିଥିଲେ । ଏହି ସମୟରେ ସେ ଭୀମଭୋଇଙ୍କ ବିଚାର ଉଠାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ମୂଳମନ୍ତ୍ରୀ ହେଉଛି ଭୀମଭୋଇଙ୍କ ବିଚାର ବୋଲି ଧର୍ମେନ୍ଦ୍ର କହିଥିଲେ ।
ସେ କହିଥିଲେ, କାଶି ଠୁ କୋହିମା ପର୍ଯ୍ୟନ୍ତ ପୂର୍ବ ଭାରତର 50 ହଜାର ଭାରତୀୟ ବସବାସ କରନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ବିକାଶ ଉପରେ ଅଦୃଶ୍ୟ ଚାପ ପକାଇ ପୁର୍ବୋଦୟାର ମନ୍ତ୍ର ଦେଇଛନ୍ତି। ଏହା କେବଳ ଏକ ସ୍ଲୋଗାନ ନଥିଲା । ଉଜ୍ଜଳା ଯୋଜନା, ଶୌଚାଳୟ ନିର୍ମାଣ, ଜନଧନ ଯୋଜନା, ପିଏମ ଆବାସ ଯୋଜନା, ଉର୍ଜା ଗଙ୍ଗା, ଉଡାନ ଯୋଜନା ଭଲି ଅନ୍ୟ ସରକାରୀ ଯୋଜନା ଦ୍ବାରା ପୂର୍ବ ଭାରତର ଲୋକମାନେ ସରକାରଙ୍କ ଏହି ଯୋଜନାରେ ଲାଭବାନ ହୋଇପାରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେ କହିଛନ୍ତି, ଆମେରିକାର ଅର୍ଥନୀତିଜ୍ଞମାନଙ୍କ ଅନୁସାର ବିଗତ ବର୍ଷର ଆର୍ଥିକ ସ୍ଥିତି ଏକ ଶତାବ୍ଦୀର ପଛକୁ ଚାଲିଯାଇଛି । କିନ୍ତୁ ଆଗାମୀ ଦଶନ୍ଧୀ ଓ ଶତାବ୍ଦୀ ମଧ୍ୟରେ ଭାରତ ବିଶ୍ବ ଅର୍ଥନୀତିରେ ଇତିହାସ ସୃଷ୍ଟି କରିବ ।