ରାୟପୁର: ଶୂନଶାନ ସ୍ଥାନ ହେଉ କିମ୍ବା ଗହଳି, ମହିଳାଟିଏ ସର୍ବଦା ନିଜକୁ ଅସୁରକ୍ଷିତ ମଣିଥାଏ । ବର୍ତ୍ତମାନ ସମୟରେ ମହିଳାଙ୍କ ସୁରକ୍ଷା ଏକ ମୁଖ୍ୟ ସମସ୍ୟା ପାଲଟିଗଲାଣି । ଏହି ପରିପ୍ରେକ୍ଷୀରେ ଛତିଶଗଡର ଜଣେ ଝିଅ ଏପରି ଏକ ମହିଳା ସୁରକ୍ଷା ଡିଭାଇସ ପ୍ରସ୍ତୁତ କରିଛନ୍ତି, ଯେଉଁଥି ପାଇଁ ତାଙ୍କ ପାଖକୁ ବାଃ ବାଃ ଛୁଟୁଛି । ଧମତାରୀର ସିଦ୍ଧି ପାଣ୍ଡେ, ମହିଳା ସୁରକ୍ଷା ଚପଲ ଏବଂ ମହିଳା ସୁରକ୍ଷା ପର୍ସ ପ୍ରସ୍ତୁତ କରିଛନ୍ତି ।
ଚପଲରେ ଏକ ଡିଭାଇସ ରଖିଛନ୍ତି ସିଦ୍ଧି, ଯାହାକୁ ଛୁଇଁବା ମାତ୍ରେ 100 ଭୋଲ୍ଟର ଝଟକା ଲାଗିବ । ଏକୁଟିଏ ଯାଉଥିବା ସମୟରେ କିମ୍ବା କୌଣସି ସ୍ଥାନରେ ଜଣେ ମହିଳାଙ୍କୁ ଅସୁରକ୍ଷିତ ଲାଗିଲେ, ସେ ଡିଭାଇସରେ ଥିବା ସ୍ବିଚକୁ ଅନ୍ କରିପାରିବେ, ଯାହାଦ୍ବାରା ଯଦି କେହି ତାଙ୍କୁ ଛୁଇଁବାକୁ ଚେଷ୍ଟା କରନ୍ତି ତେବେ 100 ଭୋଲ୍ଟର ଝଟକା ଲାଗିବ ଏବଂ ମହିଳା ଜଣକ ନିଜକୁ ସୁରକ୍ଷିତ ସେଠାରୁ ବଞ୍ଚାଇ ପାରିବ । ସେହିପରି ପର୍ସରେ ମଧ୍ୟ ସୁରକ୍ଷା କବଚ ଲଗାଇଛନ୍ତି ସିଦ୍ଧି ।
ତେବେ ଏଥିପାଇଁ ମଶା ମାରିବା ର୍ୟାକେଟର ଏକ କିଟ୍ ବ୍ୟବହାର କରାଯାଇଛି, ଯାହା ଚପଲ ତଳେ ରଖାଯାଇଛି । ଏହାକୁ ବ୍ୟାଟେରୀ ମାଧ୍ୟମରେ ରିଚାର୍ଜ କରାଯାଇଥାଏ । ସିଦ୍ଧ ଏହାକୁ ଚପଲରେ ଏପରି ଫିଟ୍ କରିଛନ୍ତି ଯେ, ତାହା ଆଦୌ ବାହାରକୁ ଦେଖାଯାଏ ନାହିଁ । ସେହିପରି ଦ୍ବିତୀୟ ଉପକରଣ ପର୍ସରେ ପୋଲିସ୍ ସାଇରନ୍ ଲଗାଇଛନ୍ତି ସିଦ୍ଧି ।