ମୁମ୍ବାଇ:ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ କେତେ ଯେ ରାମଭକ୍ତ ନିଜ ଜୀବନରେ ବଳିଦାନ ଦେଇଛନ୍ତି ତାହାର ହିସାବ ନାହିଁ । ଗତ କିଛି ଦିନ ତଳେ ଜଣେ ବୃଦ୍ଧା ରାମ ମନ୍ଦିର ନିର୍ମାଣ ନେଇ ମନରେ ତପସ୍ୟା କରି ମୌନବ୍ରତ ରଖିଥିଲେ । ଏବେ ଠିକ ଏମିତି ଜଣେ ରାମ ଭକ୍ତଙ୍କୁ ନେଇ ପୁଣି ଚର୍ଚ୍ଚା ହୋଇଛି । ଯିଏକି ରାମ ମନ୍ଦିର ନିର୍ମାଣ ନେଇ ମନରେ ପଣ କରି ଚପଲ ପିନ୍ଧା ଛାଡିଥିଲେ । ଆଜକୁ ପ୍ରାୟ 31 ବର୍ଷ ଧରି ସେ ଚପଲ ପିନ୍ଧୁନାହାନ୍ତି । ରାମ ମନ୍ଦିର ପ୍ରତିଷ୍ଠା ପରେ ସେ ପୁଣି ଚପଲ ପିନ୍ଧିବେ ବୋଲି କହିଛନ୍ତି ।
ଏହି ରାମଭକ୍ତ ଜଣକ ହେଉଛନ୍ତି ମହାରାଷ୍ଟ୍ର କୋହ୍ଲାପୁର ସହର ଅଧିବାସୀ ନିୱାସ ପାଟିଲ । ଯେପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇନାହିଁ ସେ ପର୍ଯ୍ୟନ୍ତ ସେ ଚପଲ ପିନ୍ଧିବେ ନାହିଁ ବୋଲି ଶପଥ ନେଇଥିଲେ । 1990 ମସିହାରେ ରାମ ମନ୍ଦିର ନିର୍ମାଣକୁ ନେଇ ହୋଇଥିବା ଆନ୍ଦୋଳନରେ ଅନେକ କରସେବକ ଯୋଗ ଦେଇଥିଲେ । ପାଟିଲ ମଧ୍ୟ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେହି ଦିନଠାରୁ ସେ ଏହି ଶପଥ ନେଇଥିବା କହିଛନ୍ତି । ତେବେ ଆସନ୍ତା 22 ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଥିବା ବେଳେ ସେ ବେଶ ଖୁସିବ୍ୟକ୍ତ କରିଛନ୍ତି ।
ଏହା ବି ପଢନ୍ତୁ- ରାମ ମନ୍ଦିର ନିର୍ମାଣ ପାଇଁ ରଖିଥିଲେ ମୌନବ୍ରତ, ପ୍ରତିଷ୍ଠା ଉତ୍ସବରେ ଭାଙ୍ଗିବେ 30 ବର୍ଷର ତପସ୍ୟା